Unknown

 

 

 

 

 

 

 

 

 

ରୂପରେଖା

ଗୋଦାବରୀଶ ମହାପାତ୍ର

 

 

 

 

 

 

ଉତ୍ସର୍ଗ

ପ୍ରିୟ ସଖା କିଶୋରଚନ୍ଦ୍ର ଦାସ, ଏମ୍‌.ଏ.ଙ୍କ ନାମରେ

 

ଏଥିରେ ଥିବା କବିତାଗୁଡ଼ିକ ଏକାସମୟରେ ଲେଖା ନୁହେ । ନାନା ଅନୁଭୂତିର ପୂରା ରୂପ ବୋଲି ଏହାକୁ କୁହାଯାଇପାରିବ ନାହିଁ । ଏହା ସେ ସବୁ ରୂପର ରେଖାଛାୟା ମାତ୍ର ।

•••

 

ରୂପରେଖା

 

ଥରେ ଦେଖିଥିଲି ଦୂରେ, ବହୁଦିନ ତଳେ, ପଡ଼େନାଇଁ ମନେ;

ଘନ ଅମାବାସ୍ୟା ସମ ତା’ କଳା କୁନ୍ତଳ କିବା ଅଯତନେ ।

ଚୁମ୍ବୁଥିଲା ଚରଣ ବା ଶିରେ ଥିଲା ଘେରି । ଶ୍ଳଥ ଫୁଲମାଳା,

ପଡ଼ିଥିଲା ତଳେ ଖସି, କି ବସନଖଣ୍ଡି ଥିଲା ପିନ୍ଧି ବାଳା ।

ଛୁଇଁଥିଲା ସେ ଚରଣ ଧରଣୀର ଧୂଳି, ଅବା ପଦ୍ମଫୁଲ,

ରଚୁଥିଲା ପଦେ ପଦେ, ସେ କରକମ୍ପନେ ଶୀତ ପରିମଳ ।

ବହୁଥିଲା ପାଶେ ତାର, ଅବା ଏ ଧରଣୀ ମୌନା ରୂପବତୀ,

ଜାଳୁଥିଲା ଥରେ ଥରେ ସେ ନୟନ ତଳେ କାମନାର ଜ୍ୟୋତି ।

ସେ ନେତ୍ରପଲକ ତାର ପଡ଼ୁଥିଲା ଥରେ; ଥରେ ଅବା ଉଠି,

ବିଶ୍ଚ ଯଉବନ ବୁକେ କି ଦୁର୍ଜୟ ଜୟ କରୁଥିଲା ସୃଷ୍ଟି ।

ନିବିଡ଼ ନିଶ୍ୱାସ ତାର ବହୁଥିଲା ଖରେ, ଅବା ଥିଲା ସ୍ଥିର,

କିବା ସେ ସୁନ୍ଦରୀ ସିନ୍ଧୁ-ତୀରେ ଅଲୁଣ୍ଠିତ କୋଣାର୍କ ମନ୍ଦିର ।

ଅବା ସେ ସବାକ ବାଣୀ, ନିର୍ବାକ ଶିଖରୀ ନାହିଁ କିଛି ମନେ,

ଧରଣୀର ପ୍ରାଣ-ସିନ୍ଧୁ ମନ୍ଥୁଥିଲା ସତେ ମୋହିନୀ ଚରଣେ ।

•••

 

ଚୁମ୍ବନ ପରଶେ ହେବ ମୃତ୍ୟୁ ଆଚ୍ଛାଦନ

 

ଜୀବନ ବିଜନ ପଥେ ଯେବେ ଗୋ ସୁନ୍ଦରି !

ଅବତରି ଆସିଲ ସେ କରେ ଦୀପ ଧରି,

ପାହିଲା ଯାମିନୀ ସତେ; ଶୁଭ୍ର ଉଷାପଥେ

ଲାଗିଲା କି ରାସଲୀଳା ଏ ମର-ମରତେ ?

ନାହିଁ ତର ନାହିଁ ସଖି, ନାହିଁ ତର ସଖି–

ସେ ମୋର କିଶୋର ସାଜ କୁଞ୍ଜପଥେ ରଖି,

ତବ ସ୍ୱର୍ଣ୍ଣ ଭୁଜତଳେ ପକାଇ ଶିବିର

ବିଚାରିଲି ବିଶ୍ରାମ ଗୋ ନେବି ଜୀବନର ।

ବିଚାରିଲି, ତବ ରୂପ ଲୋଚନ ଝଲକେ

ଦେଖିବି ସମରଲୀଳା । ପାଟଳ ଅଳକେ

କରୁଛ କି କୋଟି ବିଶ୍ୱ ସୃଷ୍ଟି ଅବିରଳ

ମୃତ ଜଡ଼ ମୁଖେ ଦେଇ ସ୍ପର୍ଶ ଚୁମ୍ବନର ।

ତୁମରି ଅଧରତଳ ଆରକ୍ତ ଉଷାରେ

ଦେଖିଲି ଯା, କି ବର୍ଣ୍ଣିବି ଏ ମୋର ଭାଷାରେ ।

ଥରେ ଗୋ ଚୁମ୍ବନ ଦେଇ ଥରେ ଗୋ ଚୁମ୍ବନ

କରାଇଲ ସତେ ଅବା ଚିର ସଚେତନ

ଚୁମ୍ବନ ଆଲୋକପାତେ ଅଚୁମ୍ବିତ ପ୍ରାଣେ !

ସେ ଲଗନୁ ଏ ଜୀବନ ତବ ପୂଜା ଆଣେ

ତୁମରି ଚରଣତଳେ । ମରଣ ସେ ପାରେ

ଅଛି କି ନ ଅଛି ବିଶ୍ୱ ନ ଭାବଇ ବାରେ ।

ରୂପାତୁର ମୋ କାମନା-ସିଂହଦ୍ୱାରେ ବସି

ଉଷା ପରେ ଉଷା ପୁଣି ଦେଖେ ଗୋ ରୂପସି,

ତୁମରି ପରଶ-ସୁଖେ ଭଜି ବା ରକ୍ତିମା

ମୁହୂର୍ମୁହୂଃ ପରଶଇ ମୋ ଯୌବନ ସୀମା ।

ସେହି ଦିନୁ ତରୁଣି ଗୋ, ତବ ପୂଜା ଧରି

ପୂଜାରୀ ଏ ଦୀନ କବି ଡାକେ ଥରିଥରି

ବିହ୍ୱଳିତ ଯଉବନ-ଲତା-କୁଞ୍ଜ ତଳେ ।

ତୁମରି ପ୍ରଦୀପ ଶିଖା ଏବେ ପ୍ରାଣେ ଜଳେ ।

ଜଳୁ ଜଳୁ ଯାହା ସଖି ! ଜଳୁ ଯାହା ଜଳେ,

ଏଡ଼େ ବେଗେ ନ ଲୋଡ଼ଇ ଏ ଚୁମ୍ବନତଳେ

ପୁଣି ସେ ଚୁମ୍ବନ ତବ । ଖାଲି ଆସ ଆସ ।

ଯାହା ଅଛି ଜୀବନର ସେ ଚୁମ୍ବନ ପ୍ରାସ

ବସି ମୁହାଁମୁହିଁ ଦିହେଁ ହେବା କହାକହି,

ବଳିଯିବ ସେ ପ୍ରଣୟ ଏ ନଶ୍ୱର ମହୀ ।

ଚାହାଣି ଚୁମ୍ବନେ ତବ ଜଳୁ ଆଗ ଦୀପ,

ପରଶ ଚୁମ୍ବନ ପଛେ ଯିବ ତା ସମୀପ ।

ଫୁଟୁ ଚାହାଣିରେ ଫୁଲ-ଫୁଟୁ ଅଗଣିତ

ନିର୍ବାକ ଅଧର ପଥେ ବାଣୀ ସମାହିତ–

ସୌରଭ ଉଠିବ ହସି ! ପ୍ରାଣ-ସାମ-ଗୀତି

ଥରାଇବ ମୁହୂର୍ମୁହୂଃ ନିର୍ଜୀବ ଧରିତ୍ରୀ ।

ତାପରେ ସୁନ୍ଦରି ମୋର, ଶୁଣ ଶୁଣ ଶୁଣ,

କି ଲୀଳା ରଚିବା ବିଶ୍ୱେ ଆମେ ଦୁଇଜଣ;

ଆମେ ଦୁଇଜଣ–ଜଣେ ଆନ ପ୍ରୀତିଧାରା,

ଜଣେଟି ସୌରଭ, ଜଣେ କୁସୁମ ପାଖୁଡ଼ା ।

ଜଣେ ବଂଶୀ, ଜଣେ ସ୍ୱର ମହାବିଶ୍ୱପଥେ;

ଜଣେଟି ସାରଥି ରଥ ଚାଳେ ଅବିରତେ

ହୃଦ-କୁରୁକ୍ଷେତ୍ର ବୁକେ । ହେ ସୁନ୍ଦରି ମମ,

ତୁମରି ଚୁମ୍ବନ କହେ ଗୀତା ଅନୁପମ

ଯୌବନ-ଅର୍ଜୁନ ପାଶେ । ଚାହଁ, ସଖି, ଥରେ

ନ ଭଜୁ ଗୋ ଶିଥିଳତା ସାୟକ ଏ କରେ ।

ପ୍ରଥମ ଚୁମ୍ବନ ଦେଲ ଯେ କାଳେ, ସୁନ୍ଦରି,

ଅନ୍ଧାରେ ଆଲୋକ ଜାଳି, ଉଷାଲୋକ ଭଳି,

ଫୁଟାଇଲ ପ୍ରାଣ-ପଦ୍ମ, ଉଠାଇଲ ଜଳୁ,

ତୁଟାଇଲ କି କାଳିମା ପ୍ରାଣ-ଗଗନରୁ !

ରଟାଇଲ ଜୀବନର ମହାମନ୍ତ୍ର ବାଣୀ,

ପ୍ରକୃତି ପୁରୁଷ ବିଶ୍ୱେ ପାରିଲି ମୁଁ ଜାଣି ।

 

ଶିଖା ତୋଳି ଶିଖା ଯେବେ ପଡ଼ିଯିବ ଢଳି,

ବୁକୁ ରକ୍ତ ତଳେ ତଳେ ଯେବେ ପ୍ରାଣ-କଳି

ହେବ ଅବସନ୍ନ, ହସି ହସି ଅବିରତ

ତୁମରି ଚୁମ୍ବନ ତାରେ କରିବ ଜାଗ୍ରତ ।

ମୃତ ବିଶ୍ୱେ ଜାଗ୍ରତ ଗୋ କରିବ ଜୀବନ.

ମରିବାକୁ ନାହିଁ ଦେବା ଏ ଆମ ଯୌବନ !

ବସି ପୁଣି ଚୁହାଁଚୁହିଁ ହେବା ଅବିରଳ,

ଚାହାଣି ! ଚାହାଣି ହେବ ଖେଳ ଜୀବନର ।

କିନ୍ତୁ, ପ୍ରିୟେ, ଏତିକି ଗୋ ଏ ପ୍ରାଣକାମନା

ଦୁର୍ଗମ ଏ ଯାତ୍ରାପଥେ ନ ମାନିବା ମନା ।

ଚୁମ୍ବନେ ଫୁଟାଅ ଫୁଲ, ଜଳାଅ ବା ଶିଖା,

ଦରିଦ୍ର ନୋହିବା ଯେହ୍ନେ ମାଗି ପ୍ରାଣଭିକ୍ଷା ।

ଚୁମ୍ବନ, ଚୁମ୍ବନ, ଖାଲି ଚୁମ୍ବନ, ଚୁମ୍ବନ–

ଚୁମ୍ବନ ପରଶେ ହେବ ମୃତ୍ୟୁ ଆଚ୍ଛାଦନ ।

•••

 

ସ୍ୱପ୍ନ-ଛାୟା

 

ଜୀବନର ଅର୍ଧପଥେ, ଯୌବନ ପ୍ରାନ୍ତରେ

ଭେଟିଥିଲି ଦିନେ କେବେ ତା’ରେ ଏକାନ୍ତରେ;

ମନେ ପଡ଼େ । ଶରତ୍‌ର ଶ୍ୟାମ କୁଞ୍ଜବନ

କରୁଥିଲା ତନୁ ମନ ଦୂରେ ଆକର୍ଷଣ !

ନ କହିଲି କଥା ତହିଁ, ନ ଚାହିଁଲି ଫେରି,

ଚକିତେ ଏ ବୁକୁତଳୁ ଶ୍ୱାସ ଉଠି ଖେଳି

ଚମକାଇଦେଲା ଅବା ସେ ବିଜନ ପଥ !

ଚାଲିଲା ଜୀବନ ମୋର ରଥଚକ୍ରବତ ।

ଲଙ୍ଘି ଶ୍ୟାମ ଗିରିପଥ, ଭୀମ ସିନ୍ଧୁବୁକୁ,

ଗଲା ଅପସରି ଚାହୁଁ ଏ ନେତ୍ରପଲକୁଁ

କେତେ ଦୂର ସେ ପ୍ରାନ୍ତର-ଦୂରେ ଦୂରେ ଦୂରେ–

ସେ ପ୍ରାନ୍ତର-ବିହାରିଣୀ ରହିଲା କା ପୁରେ ।

ସେ ରଥ-ନିର୍ଘୋଷତଳେ ଦିନେହେଲେ ଥରେ

ଭାଳି ନ ପାରିଲି ତା’ରେ କର୍ମ୍ମ-ଜଞ୍ଜାଳରେ ।

ସକଳ କରମ ତଳେ ଏ କି ପୁଣି କଥା

ନିମିଷୁ ନିମିଷେ ଫୁଟିଉଠିଲା କି ବ୍ୟଥା !

ଚମକାଇ ଦେଇ ମୋର ରଥଚକ୍ର-ଗତି ।

ପଛେ ଚାହିଁ ଫେରିବାକୁ ବଳାଇଲି ମତି ।

ଯହିଁ ବିଶ୍ରାମିଲି ବାରେ କରିବି ସାଧନା

ଜୀବନର ଯେତେ ମୋର ପୁଣ୍ୟ କଳପନା,

ଆଗେ ଫୁଟିଉଠି ସେ ତ କଲା ବିଚଳିତ;

ପଛେ ବା ଆସିଲି ଛାଡ଼ି ମୋ ଜୀବନ-ମିତ !

ଭାଳିଲି ଯାହା ମୁଁ ଅଧେ ରହିଲା ଭାଳେଣି,

ଅଧେ ଛାୟା-ଛବି ନେତ୍ର ନ ପାରିଲା ଘେନି ।

ଦେଖିଲି ମୋ ରଥଚକ୍ର ଅଧେ କରେ ଗତି

ଅଧେକ କାମନା ମୋର ନୋହିଛି ପ୍ରାପତି ।

ଏ ମୋର ଜୀବନତଳେ ପଡ଼ିଲି ଥକି ମୁଁ

ଅଜଣା ସେ ଗତିପଥେ ଦିନେ ଭ୍ରମୁ ଭ୍ରମୁ ।

ଥରିଲା ମୋ ତନୁ ମନ, ଥରିଲା କାମନା,

ଥରିଲା ମୋ ରଥଚକ୍ର; ନ ମାନିଲା ମନା ।

ବିକଳ ନିର୍ଘୋଷେ ପୁଣି ଆସିଲା ସେ ଫେରି

ସେହି ପଥପ୍ରାନ୍ତ ତୀରେ । କିବା ସ୍ୱପ୍ନେ ଖେଳି ।

ଉଠିଲା ଏ ବୁକୁତଳେ ନବୀନା ଉର୍ବଶୀ !

ଡାକି ମୁଁ ବୁଲିଲି ଦିଶି ଦିଶି ଦିବା-ନିଶି !

କହିଲା କୁସୁମ କଥା, କହିଲା ଚନ୍ଦ୍ରମା;

ଶ୍ୟାମ ତୃଣତଳେ ଲଙ୍ଘି ହିମବିନ୍ଦୁ ସୀମା

କା’ର ନେତ୍ରଲୁହବିନ୍ଦୁ କେତେ ଡାକି ଡାକି

ଶୋଇଛି ଏ ଧରଣୀରେ ଧୂଳି ସମ ଜାକି ।

ଡାକିଲି; ମୋ ମିତଣି ଗୋ, ଉଠ ଉଠ ବାରେ,

ଯାଇଥିଲି ପଥ ଭୁଲି ଦୂର ସିନ୍ଧୁପାରେ,

ଦୂର ଗିରିଧାରେ । ସାରା ତ୍ରିଭୁବନେ କାହିଁ

ନୋହିଲେ ତୋ ତୁଲେ ସାଥି ମୁକ୍ତି ମିଳେ ନାହିଁ ।

•••

 

ଯିବା ବାହି ତରୀ

 

ଥିଲି ମୁଁ କିଶୋର, ତୁମେ ଥିଲା ଗୋ କିଶୋରୀ,

ଉଠୁଥିଲା ବେନି ହୃଦେ କି କଥା ଅଙ୍କୁରି !

ଜଳଧିର ଢଳଢ଼ଳ ବୀଚିମାଳା ଆସି

ହୃଦଭାବ ତୁଳେ ପରା ଯାଉଥିଲେ ମିଶି !

ପାଖୁଡ଼ା ଫୁଟାଇ ଫୁଲ ଫୁଟିଲା କି ମନେ,

ଫୁଟିଲା ଅଧରଧାରେ, ହେମ ଅପଘନେ ?

ଏ କି ହେଲା ଆସି ପୁଣି ବରଷକ ପରେ

ଧରା ଦେଲ ସୋହାଗିନି, ଏ କିଶୋର କରେ ।

ଦେଖିଲି ମୁଁ ବୁକୁତଳ ରକ୍ତ ଢଳଢଳ

ମିଶିଯାଇଅଛି ରଙ୍ଗେ ଅଧରଯୁଗଳ ।

ଯୁଗଳ ନୟନ ତଳେ ଭୁବନ-ବାରତା

ରହିଲା ଗୋପନେ ଆସି, ଆଗେ ପରିଚିତା !

ଅନାଇଲି ଏ ମୋ ପାଶେ ମୁହିଁ ସଚକିତେ–

ନାହିଁ ମୁଁ ଗୋ ଆନ ଭଳି ଜୀବନେ କିଞ୍ଚିତେ ।

ଆନ ଭାବେ ତୁମକୁ ମୁଁ ଦେଖିଛି, ସୁନ୍ଦରି,

ସେ କିଶୋର ଲୀଳାଖେଳା ସବୁ ପଛେ ଧରି ।

ଛାଡ଼ି ତୁମେ ତୁମ ନୀଡ଼ ଆସିଛ ଗୋ ଧାଇଁ,

ଯିବା ଉଡ଼ି ଉଡ଼ି ତେଜି ଏ ବାସ୍ତବ ଭୂଇଁ ।

ଦକ୍ଷିଣା ପବନେ, କାହିଁ ଫୁଲ ସଉରଭେ,

ଚପଳା ଝଟକେ, ଅବା ଚନ୍ଦ୍ରିକା ଗରଭେ,

ଅବା ରବି ରକ୍ତ ଲୀଳା ପଦ୍ମବନେ ବସି,

ତଟିନୀ ତରଙ୍ଗ ରଙ୍ଗ ଗଣି, ମହୀୟସି !

କି ଅବା ଅନାଦି ସିନ୍ଧୁ ମୁଖରିତ ଦେଶେ;

ନିର୍ବାକ ଶିଖରୀ ଯହିଁ ଚୁମ୍ବେ ନୀଳାକାଶେ;

ନିଜ ବାସ ନିଜେ ଆମେ ନେବା ବାଛି, ସହି,

ନ ଥିବ ବଚନ ତହିଁ ନ ଥିବ ଏ ମହୀ

ଏଭଳି ସ୍ୱରୂପେ । ଆମେ ଯିବା ବାହି ତରୀ

ଜୀବନ ମଦିର-ନଦୀକୂଳ ସୀମା ଭୁଲି ।

•••

 

ପଲ୍ଲୀପଥେ *

 

ଜଳିଲାଣି ସନ୍ଧ୍ୟା-ଦୀପ, ବାଜିଲାଣି ଦୂରେ

ଦେବତା ଅର୍ଚ୍ଚନା ଘଣ୍ଟି କାହିଁ କାହା ପୁରେ ।

କିଲାଗି ସୁନ୍ଦରି, ତବ ମୁଖ-କୋକନଦ

ଦେଖାଇ ସରସୀ-ତୀରେ ସାଧୁଛ ବିବାଦ

ନୀର-ବିଳାସିନୀ ରକ୍ତ-କୋକନଦ ତୁଲେ ?

ଲଜ୍ଜାନତ ଛାୟା ତାର ଖେଳେ ହେମ ଜଳେ ।

ପଲ୍ଲୀପୁର-ବିହାରିଣି, କାହା ଆଗମନେ

ଏ ପଲ୍ଲୀ ସରସୀ ତୀର ଛୁଉଁଛ ଚରଣେ ?

ଏ ଭୁବନେ ନିର୍ଜନତା ଭୋଗି ଗୋ ରୂପସି,

ତୁଟି ନାହିଁ ଆଶା ମୋର । ତୁମ ପଦେ ବସି

ଦେଖିବି ମୁଁ ସ୍ୱପ୍ନ ପୁଣି-ଗିରିଦରୀ ତଳେ,

ସିନ୍ଧୁତୀରେ, ଦିଗବ୍ୟାପୀ ଶ୍ୟାମଳ ପ୍ରାନ୍ତରେ,

ମହା ନିଶୀଥିନୀ ଦୂର ତାରକା-ଜଗତେ,

ତୁମରି ନିର୍ବାକ ଛବି ଖେଳେ କେତେମନ୍ତେ !

ନ ଫୁଟୁ ଅଧର ତବ ନ ହଲୁ ଚରଣ,

ଥାଉ ଚିର ବିସ୍ଫାରିତ ଯୁଗଳ ନୟନ

ଆକର୍ଣ୍ଣ ଉଦ୍‌ବେଗଭରେ । ସେ ଦୂର ଶଇଳେ

ନିମିଷେ ନିବସୁ ରବି ଲାବଣ୍ୟ-ମହୀରେ ।

ଏ ତବ ଲାବଣ୍ୟ ତନୁ କରି ସିକ୍ତ, ବାଳା,

ହେମ-କଣ୍ଠେ ଯାଉ ଛୁଇଁ ତା ଲାବଣ୍ୟ ମାଳା !

ପଦତଳେ କଳକଳ-ରହୁ, ଥିର ରହୁ

ତରଳ ଏ ବୀଚିମାଳା । ତୁମରି ବିରହୁ

ନେଇ ଗୋ ଉଧାର, ଫୁଲ ରହୁ ଦରଫୁଟା ।

ନ ଉଠା ଚରଣ ବାରେ ନ ଉଠା ନ ଉଠା ।

ଲଘୁପକ୍ଷ ବିହଙ୍ଗମ ସମ ଏ ଅଞ୍ଚଳ

ଥରିଯାଏ; ଥରିଯାଏ ପରିପୂର୍ଣ୍ଣତର

ମୋ ଯୌବନ ସିନ୍ଧୁ ବୁକୁ । ପ୍ରଥମ ଯୌବନେ

ଥରିଲା ଜୀବନ ଯଥା ସ୍ୱପ୍ନ ସମାଗମେ ।

କର ଗୋ ଆଚ୍ଛନ୍ନ ଆଜି ତବ ଛାୟାତଳେ

ଅଚଞ୍ଚଳା ଧରଣୀର ଏ ଚଞ୍ଚଳ ତୀରେ

ଯେତେ ଏ ନିର୍ବାକ ମୂକ ନିଃସଙ୍ଗ ନିଖିଳ !

ରୂପରାଣି, ନୁହ ତୁମେ ପଲ୍ଲୀ ଧରଣୀର

ଏକା ଧରାବନ୍ଧା ଧନ । ତବ ବୁକୁତଳେ

ଜାଣି କି ନ ଜାଣି ତୁମେ, କେତେ କ୍ଷୁଧା ଜଳେ ।

ରୂପମୁଗ୍‌ଧ ବେଶେ ନିତି ତବ ନେତ୍ରପଥେ

ଧୂଳିଠାରୁ ମହାସିନ୍ଧୁ ଉଦ୍‌ବେଳେ ଜଗତେ ।

ତୁମ ହେମ ଭୁଜଯଷ୍ଟି ସୁଗୋଲ ସୁନ୍ଦର,

ତୁମରି ଚରଣପଦ୍ମ ବିଧାତା ହୁନ୍ଦର ।

ତୁମରି ଲୋଚନ-ବିଭା ଯଉବନପଥେ

ଚଳାଏ କାମନା-ବନେ ଭ୍ରାନ୍ତ ପ୍ରାଣରଥେ ।

ଶେଷେ ଗୋ ସୁନ୍ଦରି, ତବ ନିର୍ବାକ ବଚନ

କରେ ପରା ଧରଣୀର ଜୀବନ ରଚନ !

ଦିବା ଶେଷେ ଅନ୍ଧକାର ଛାଇଲେ ଧରଣୀ

ଆଲୋକିତ କରି ପରା ତୁମେ ଗୋ ସରଣୀ

ଜାଳି ଦୀପ ପ୍ରତି ନେତ୍ରେ ! ରହ କ୍ଷଣେ ରହ

ବୁକୁ ଭେଦି ଉଠୁ ବାରେ ମୋ ପୂର୍ଣ୍ଣ ବିରହ

ଏ ପଲ୍ଲୀ-ଧରଣୀପଥେ ସ୍ତବ୍ଧ ସନ୍ଧ୍ୟାଲୋକେ ।

ଦି’ ଗୁଣେ ଉଜଳି ହସେ କୋକନଦ, ଦେଖେ

ନୀରବ ତୁମରି ଭଳି, ନୀରବ ମୁଁ, ବାଳା,

ନୀରବେ ଗୋ ଶେଷ ହେବ ଏ ପ୍ରଦୋଷ-ପାଲା ।

ଏହି ତଳେ, ଏହି ବାଲି, ଏ ଶ୍ୟାମଳ ଘାସେ

ବିଶ୍ୱର ନୀରବ ଗୀତି ନୀରବେ ନିଃଶ୍ୱସେ ।

ନୀରବେ ଫୁଟିଛି ଫୁଲ, ନୀରବ ତାରକା,

ନୀରବେ ଗୋ ଯିବ ଭାସି ଜୀବନ-ନଉକା ।

 

ପଲ୍ଲିବାଳା ! ପଲ୍ଲୀରାଣି ! ପଲ୍ଲିସୁହାସିନି !

ନିସ୍ତବ୍ଧ ଏ ପଲ୍ଲୀରାଜ୍ୟେ ମୋ ନିର୍ବାକ-ବାଣୀ !

 

*

ପଲ୍ଲୀପଥେ–ବାଣପୁର ଓ ଗଞ୍ଜାମ ମଧ୍ୟରେ ଭାଲେରୀ ପର୍ବତ । ତାହାରି ତଳେ ଗୋଟିଏ ପଲ୍ଲୀ ପୁଷ୍କରିଣୀ । ସୂର୍ଯ୍ୟାସ୍ତବେଳେ ଚିଲିକା ଓ ଭାଲେରୀ ମଧ୍ୟସ୍ଥ ଭୂ-ଭାଗ ବିଚିତ୍ର ବେଶ ଧାରଣ କରେ ।

•••

 

ପ୍ରିୟର କାମନା

ଫୁଲ-ବୁକେ ରୂପସି, କି ହସିଦେଲ ସତେ

ବାରୁଣୀ ଅଳକ ତଳେ ରବି ରତରତେ ?

କିଶୋର ମରମେ ତୁମେ କରିଲ ପରଶ–

ବରଷ କରୁଣାଧାରା ବରଷ, ବରଷ ।

ପରଶ ଅଧର ମୋର ତୁମରି ଅଧରେ,

ତୁମରି ଦର୍ଶନ ପାଇଁ ଏ କାମନା ଧରେ ।

ଗୁପ୍ତ ବୃନ୍ଦାବନେ ତୁମେ ରାଧା ଛାୟାମୟୀ,

ଅଧେ ହସି ଅଧେ ରଖ ଅଧେ କଥା କହି ।

ଫୁଟିବ ପରାଣ ସିନା ଅଧା ପରଶରେ

ଆର ଅଧା ପାଇବାକୁ ଏ ଖିଳ ବିଶ୍ୱରେ ।

ଗଲେ ସରି ଆଶା ପଥେ ଥାଏ କି ଜୀବନ ?

ସରା-ବିଶ୍ୱେ ରହିବାକୁ ବଳେ ନାଇଁ ମନ ।

ଅସରା କାମନା ମୋର ଖୋଜିବୁଲେ ଖାଲି

ଯୌବନ-ସାଗରେ ତୁମ ଭଳି ବୀଚି-ମାଳି ।

ନ ସରନ୍ତୁ ରବି ଶଶୀ, ନ ସରୁ ତାରକା

ନ ସରନ୍ତୁ ନଭୋଦେଶେ ଏ ବିଦ୍ୟୁମାଳିକା ।

ନ ସରୁ ଏ ତରୁକୁଞ୍ଜେ ମୋହନ ସୁମନ

ନ ସରୁ କୋକିଳ କଣ୍ଠୁ ଅମିୟ ବଚନ ।

ଦୂର ନିର୍ଝରିଣୀ କୋଳୁ ନ ତୁଟୁ ଲହରୀ

ଦେବକନ୍ୟା ଉଷା ହସୁଥାଉ ଏହିଭଳି ।

ଡାକିଯାଉଥାଉ ବାରେ ବାରେ ବଜ୍ର ଉଚ୍ଚେ

ପରଶୁ ଏ ଗନ୍ଧବହ ନିତି ଉଚ୍ଚେ ନୀଚେ ।

ବରଷୁ ବରଷାଧାରା ବରଷ ବିହାରେ

ଗରଜୁ ଅକୂଳ ମହାସିନ୍ଧୁ କୂଳେ କୂଳେ ।

ନ ତୁଟୁ ତୁମରି ଭଳି କିଶୋରୀ ଆନନ

ନ ଲୁଚୁ ଏ ହେମଗୌର ରମ୍ୟ ଅପଘନ ।

ନ ତୁଟୁ ମାନବ ବୁକେ ପ୍ରେମପ୍ରୀତିଧାରା

ନ ତୁଟୁ ପ୍ରେୟସୀ ପ୍ରାଣ ସୋହାଗ-ପସରା ।

ନ ତୁଟୁ ଏ ଆଡ଼ବାଙ୍କ ଚାହାଣି ଜଗତେ

ନ ତୁଟୁ ଏ ମଧୁମୟ ଭାବ ହୃଦଗତେ ।

ନ ତୁଟୁ ଏ ସୁଧାପ୍ରୀତି ବଚନ ସୁନ୍ଦର

ନ ତୁଟୁ ଏ ଦେଖା, ପୁଣି ଅଦେଖା ହୁନ୍ଦର ।

ନ ଶୁଖୁ,ଏ ବୁକୁତଳ ଆଶା-ନିର୍ଝରିଣୀ

ଅଧେ ହସ, ହସ, ଅଧେ ପ୍ରାଣ-ସୋହାଗିନି !

ଗଲେ ହଜି ମର ଆଶା, ତୁଟିଲେ ବାସନା

ସଂସାର ଶ୍ମଶାନ ସିନା, ଆଉ କି ଯାଚନା ?

•••

 

ମିଳିବ ଦେଖା

 

ତୁମରି ମୁଖଶିରୀ ଦେଖିବା ପାଇଁ ସହି,

ନିବିଡ଼ ଅନ୍ଧାରେ ଗଲି ମୁଁ ତରୀ ବାହି ।

ଜୀବନେ ଯଉବନ ମିଳନ ମଧୁରିମା

ମଣିଲି ଲଭିଛି ଗୋ ତୁମରି ପାଖେ ସୀମା ।

ଯେତିକି ଚରଣ ଗୋ ଚଳିଲା ତରତରେ,

ତରୀ ମୋ ଥରି ଥରି ଭାସିଲା ଯେତେ ଖରେ,

କାହିଁ କି ଦୂରେ କାହିଁ ସୁଦୂରେ କାହା ପୁରେ

ଅଦେଖା ରହିଲା ମୋ ଜୀବନେ କାଳେ କାଳେ ।

ଖାଲି ଗୋ ତବ ପଦପରଶ-ଲଗା ତଳ

ନୀରବେ ଛୁଇଁ ଖାଲି କପାଳେ ଦେଲି କର ।

ଚରଣ-ପରଶର ସେ ଯେତେ କ୍ଷୀଣ ରେଣୁ

ସତେ ବା ଝଡ଼ିଥିଲା ତୁମରି ସେ ଚରଣୁ !

ଏ ତନୁ ପରେ ବୋଳି ସେ ରେଣୁ ଗୋଟି ଗୋଟି

ନୋଇଁଲି ଶିର ଧୀରେ ପ୍ରଣମି ଶତକୋଟି ।

ଅଧରେ ଛୁଇଁ ଧରା ଚୁମିଲି ଯେତେ ଯହିଁ

ସେ କଥା କହିଲେ କି ମିଳିବ ଦେଖା, ସହି !

•••

 

ସନ୍ଧାନ

ଊର୍ମିଳ ସାଗରତୀର ସିକତା ତଳପେ ଗିରି ଋଜୁ ପଥେ

ତାରାହୀନ ଯାମିନୀର ଘନ ଅନ୍ଧକାର ଭେଦି ଅବିରତେ

ନିଃସୀମ ନିର୍ଜନ ମରୁ ଦୁସ୍ତର ସରଣୀ ପରଶି ଏ ପଦେ

ତୁମରି ଚରଣ ଚିହ୍ନ ଖୋଜିଛି ସୁନ୍ଦରି, ସହସ୍ର ବିପଦେ ।

ଶେଷେ ଗୋ ପାଇଛି ଦେଖା, ଭୁଲିଥିଲି ପରା ଗୁପ୍ତ ବୃନ୍ଦାବନେ

ବକୁଳ ତମାଳମାଳା ହସେ ଯହିଁ ନିତି ତୁମରି ସନ୍ଧାନେ ।

ତୁମ ମହିମାର ଗୀତି ଗାଏ ବିହଙ୍ଗମ, ସମୀର ଉତ୍ତାଳେ

ଅବ୍ୟକ୍ତ ମଧୁର ସ୍ୱରେ ଯାଏ ଗୋ ଉଚ୍ଚାରି ଚୁମ୍ବି ଡାଳେ ଡାଳେ ।

ଚୁମ୍ବି ତବ ପଦରେଣୁ, ଚୁମ୍ବି ତବ କର ଚୁମ୍ବି ଅନୁକ୍ଷଣ

ଊର୍ମିଳ ସାଗର ସମ ପ୍ରାଣ-ପାରାବାରେ ଦେବି ଗୋ କମ୍ପନ ।

ସିକତା ପୁଳିନେ ମୋର ବୁଲିବେ ଏଭଳି ପ୍ରେମଭିକ୍ଷୁ ନିତି

ପାହିଯିବ ଧରଣୀର କେତେ ଯେ ଯାମିନୀ ଯୁଗ-ଯୁଗ ବିତି ।

ଏ ମୋ ପ୍ରାଣ-ତୀରେ

ଜନ୍ମ ଜରା ମୃତ୍ୟୁ ଭୁଲି ନିତ୍ୟ-ସତ୍ୟ-ବାଣୀ

ଶୁଣାଅ ଗୋ ବାରେ ।

•••

 

ବିଧବା

ଯଉବନ ରକ୍ତ ଚିତା ନ ଦିଶୁ ମଳିନ

କିଏ ତୁମେ ଶୁଭ ସାଜ, ନବ ଆଭରଣ

ଓହ୍ଲାଇପକାଅ ବାଳା ? ଢାଳ ନେତ୍ରୁ ବାରି ?

ପାଟଳ ଅଧରେ ବାଣୀ ନ ପାର ଉଚ୍ଚାରି ?

ଚରଣ-କିଙ୍କିଣୀ ନାଦ ରହିଲା କି ଥକି ?

ପ୍ରବାଳ-କପୋଳେ କିବା ଦେଲା କିଏ ଲେଖି ?

ବନ୍ଧୁର ଏ ବୁକୁ ତବ ଥରେ ଥରଥର

ତନୁବାସ ଚହଲାଇ ଚମକେ ଅନ୍ତର ।

ଶିଥିଳିତ ଫୁଲଗଭା ପରଶେ ଧରଣୀ

ଭୁଲି କି ଗଲା ଗୋ ବାଳା, ଜୀବନ-ସରଣୀ ?

ଫିଟି ପଡ଼ିଅଛି ପୃଷ୍ଠେ କଜ୍ଜ୍ୱଳ କୁନ୍ତଳ

ଜୀବନ ମାଧୁରୀ ଅବା ହରାଇଛି କୂଳ ?

ଶତ ମୁଖୁ ଶତ ବାଣୀ ଉଠଇ ଏ କିବା

ବିଶ୍ୱ-ରାଜପଥେ ବାଳା, ତୁମେ କି ବିଧବା ?

ଏ ଯୌବନ-ଦୁର୍ଗବାସେ ନ ଲାଗୁ ସମର,

ଏ ଅଧର ପ୍ରତିଦାନ ନ ଲୋଡ଼ୁ ଅଧର,

ଏ ତନୁ ନ ଲୋଡ଼ୁ ଆନ ତନୁ ପରଶନ,

ଏ ବାଣୀ ନ ଦେଉ ଆନ ଜୀବନେ କମ୍ପନ,

ଏ ନେତ୍ର ନ ଜଳୁ ଆନ ନେତ୍ର-ଦୀପ ତୁଲେ,

ନ ଉଠୁ ଝଙ୍କାର ଆନ ହୃଦ-ଦୁର୍ଗ-ପୁରେ,

ନ ଛୁଉଁ ଚରଣ ପଥେ, ହେଲା ଶେଷ ପଥ ?

ଚକିତେ କି ଥକିଯିବ ଯଉବନ-ରଥ ?

କାଢ଼ କାଢ଼ ରଣସାଜ–କାଢ଼ ଆଭରଣ,

ଲାଗିବ ଗୋ ଆଜିଠାରୁ ପରା ଆନ ରଣ ?

ନ ଲଭିବ ଏ କୁନ୍ତଳ କୁସୁମ ପରଶ,

ଅଧର ଅଧାରୁ ଫେରିଯିବ ମଧୁ ଭାଷ ।

ହେମତନୁ ଉପବାସେ ହେବ କୃଶତର

ସମାଧି କି ହେଲା ଏଥି ନାରୀ-ଜୀବନର ?

ଝଡ଼ିଯିବ ସବୁ ବାଳା, କୁସୁମଭୂଷଣ

ସରିଯିବ ଚରଣର ଅଳତା ଲେପନ ।

ପିନ୍ଧିବ ବସନ ବାଳା, ପାଲଟି ଏ ବାସେ,

ରବି ଚନ୍ଦ୍ରେ ଲୁଚାଇବ ସିନା ମଧୁ ହାସେ,

ଲୁଚାଇ କି ପାରିବ ଗୋ, ବୁକୁ ତଳେ ତଳେ

ଜୀବନ ଯାଗରେ ଯେଉଁ ଯଉବନ ଜଳେ ?

ପାଟଳ ଅଧରେ କଳା ପାରିବ କି ବୋଳି

ଚହଲିବ ହୃଦ ଯେବେ ଭବସିନ୍ଧୁ ଲୋଡ଼ି ?

ସରିବ କି ବୁକୁ-ଥରା ଧରା ପରବାସେ ?

ସରିବ କି ଏ ଲୋଚନ ପଲକ ବିଳାସେ

ଖେଳେ ଯେ ତରଳ ଲୀଳା ? କହ ଗୋ ବିଧବା,

ଏ ଜୀବନେ ଯଉବନେ ରୋଧିଛି କେ ଅବା ?

ନିର୍ବୋଧ ସେ, ତୁମ ଲାଗି ଗଢ଼ିଲା ଯେ ବିଧି

ପର ପ୍ରାଣ ଜାଣିବାରେ ଲଭି ନାହିଁ ସିଦ୍ଧି ।

ଘୃତଦୀପେ ଆଲୋକ କି ମିଳେ ଗୋ ଜୀବନେ ?

ଜୀବନ ଫୁଟଇ କାହିଁ ବନ୍ଧୁ ନିମନ୍ତ୍ରଣେ ?

ମରମ ବୁଝଇ ନିକି ପୀରତି ମିଳନ

ବାଦ୍ୟନାଦେ । କିଏ କହେ ତୁମ୍ଭ ଯଉବନ

ଲଭିଥିଲା ଦିନେ ପୁଣି ପ୍ରଣୟ-ସମ୍ପଦ ?

ଫେରି ଦେଖ ଖାଲି ତବ ଅଲକ୍ତକ-ପଦ

ଶାସ୍ତ୍ର-ବିଧି-ବୁକୁ ପରେ କରି ପଦାଘାତ

ଗଢ଼ିଅଛି ତୁମକୁ ଗୋ ହିମଶୈଳବତ !

ଜାଳିଛ ଜାଗର କେତେ, ଜାଳ ପୁଣି ଥରେ

ନିଃସଙ୍ଗ ନିର୍ଜନ ମରୁ ଦୁସ୍ତର ପ୍ରାନ୍ତରେ ।

ଦିଅ ତିଳୋଦକ ଦାନ ମାୟା ପତି ଆଶେ

ଯା ଲାଗି ଜଳୁଛ ତୁମେ ନିତି ଅବିଶ୍ୱାସେ !

ବିଧବା ଗୋ, ଏ ପାଷାଣ ପ୍ରାଚୀର ଦୁଆର

ଟଳିବ କି ନାହିଁ ଶୁଣି ତୁମ ହାହାକାର !

•••

 

ଜୀବନ ସପନ

 

ବିରଚିବା କୁଟୀର ଗୋ ପଲ୍ଲିପୁର ପଦେ,

ତୁମ ତନୁ ରୂପବାସ, ତୁମରି ସମ୍ପଦେ

ପାଲଟିବ ଉଆସ ଏ-ଦେଖିଲି ସପନ

ଦିନେ ଛୁଇଁଯାଉଥିଲା ପ୍ରଭାତୀ ପବନ

କୁସୁମ ଅଧରଧାରେ । ପ୍ରାଚୀର ଉଢ଼ାଳେ

କେତେ କାଳ ଶ୍ୟାମ ଲତା ପଡ଼ି-ଉଠି ତଳେ,

ରଚୁଥିଲା କୁଞ୍ଜପୁର କା’ ଆସିବା ପାଇଁ

ନିତି ପ୍ରଭାତରେ ଫୁଲ୍ଲ ନେତ୍ରେ ପଥ ଚାହିଁ ।

କନକ କିରଣେ ଛୁଇଁ ଦେବ ଦିବାକର

କରୁଥିଲେ କନକିତ ଦୂର ମହୀଧର ।

ଦୂର ଚକ୍ରବାଳେ ଶିବ ତୋଳି ଯୁଗ ଯୁଗ

କି ସାଧନେ ଥିଲେ ରତ ତାଳ ତରୁଯୁଗ ।

ଭାଜିଲା ସପନ, ଦୂରେ ଉଡ଼ିଲା ମୋ ମନ

ତୁମେ ମହାକାଶ, ତଳେ ମୁଁ ଯେ ବିହଙ୍ଗମ !

ଦେଖିଲି, ଗଗନେ ଛୁଏଁ ମହା ଗିରିବର,

କା’ ପରଶ ପାଇଁ ବୁକୁ ଫଟାଏ ମୁକୁଳ !

କା’ ବୁକୁରେ କାନ ପାତି କହିବାକୁ କଥା

ଗୁଣୁଗୁଣୁ ଧାଏଁ ଅଳି ଗାଇ କିବା ବ୍ୟଥା !

କା’ ତନୁ ପରଶ ବାସ ବହି ସମୀରଣ

ପଥେ ଘାଟେ ପୁରେ ଜନେ କରେ ବିତରଣ !

ଅକୁହା, ଅଛୁଆଁ ପୁଣି ରହି ଅଚୁମ୍ବିତ

ଗଢ଼ିଛି ବିଦ୍ରୋହ ଘୋର ଏ ମୋ କ୍ଷୁଦ୍ର ଚିତ୍ତ !

ଗଢ଼ିଥିଲା ବିଦ୍ରୋହ ଗୋ ସୃଷ୍ଟି ପ୍ରଭାତରେ

ଦିନେ ଦୂର ନିର୍ଝରିଣୀ ଗିରି ପାଦତଳେ

ଭେଟିବାକୁ ମହାସିନ୍ଧୁ । ଦିନେ ପୁଣି ପ୍ରିୟେ,

ଯଉବନ ରଙ୍ଗଲୀଳା ପାଖୁଡ଼ା ପରାୟେ

ଫୁଟାଇଲା କମଳିନୀ ଫୁଲରାଜ୍ୟରାଣୀ ।

ସତେ କି ଏ ସପନେ ଗୋ ପାରିବି ମୁଁ ଜାଣି ?

•••

 

ପତିତା

 

ହେ ପତିତା, ହେ ସୁନ୍ଦରି, ହେ ଚିରଲାଞ୍ଛିତା,

ନିଜ ପାଇଁ ନିଜ ହାତେ ଜାଳିଲ କି ଚିତା

ବିଶ୍ୱ ବଡ଼ଦାଣ୍ତେ ? ଏ କି ତୁମରି କଳ୍ପନା ?

ତୁମରି ଜୀବନକ୍ଷୁଧା, ପ୍ରେମ ଆରାଧନା

କରିଲା କି ଏତେସରି ? ଭାଳେ ବସି ମନେ,

ଉଦ୍‌ବେଳିତ ଯୌବନର ପ୍ରାରମ୍ଭ ଜୀବନେ

କି ସ୍ୱପ୍ନ ଦେଖିଲ ନାରୀ ? କି ରଙ୍ଗ ଅଧରେ

ପରଶିଲା କିଏ ତବ ଏ ଅଧରଧାରେ ?

ହୁ-ହୁ ଜଳେ ଏ ଯେ ଚିତା କି ଭୀଷଣ !

ସେ ମଧ୍ୟେ ପାତିଛ ତୁମେ ଆପଣା ଆସନ !

ନତମୁଖେ ଆଜି ତବ ଫୁଟେ ନାହିଁ ହାସ,

ତୁଟି ତ ଯାଇଛି ଆଦ୍ୟ ଯଉବନ ପ୍ରାସ ।

ତୁଟିବ ପଲକେ କାଲି ଜୀବନ କମ୍ପନ,

ପୁଣ୍ୟ ଯଉବନର କି ଏହି ପରିଣାମ ?

ଜାଣେ, ଜାଣେ ହେ ଲାଞ୍ଛିତା, ଜାଣେ ଅବହେଳେ

ପଥ ଭୁଲେ ନାହିଁ ନାରୀ ଗଉରବେ ହେଲେ !

ସୁନାର ସଂସାର ତାରେ ଟାଣେ, ଟାଣେ, ଟାଣେ

ଅପମାନ ଅପବାଦ ଦୁର୍ଗମ ସଙ୍ଗମେ ।

ବସନ ଭୁଲାଏ ତାରେ, ଭୁଲାଏ ବଚନ,

ଭୁଲାଏ ଏ ପଥେ ପଥେ କ୍ଷିପ୍ତ ଯଉବନ ।

ପାପ-ଅନ୍ଧକାର ଯେବେ ଆସେ ଘୋଟି ଘୋଟି

ଯୌବନ-ସାଗର-ତୀରେ, ତୁମେ ଗୋ ତହିଁଟି

ଭୁଲିବା ଆଗରୁ, ଭୁଲା ଦୀପ ସତେ ଆସେ

ପାଛୋଟି ନେବାକୁ ତବ ଚରଣେ ବିଶ୍ୱାସେ

ଦେଖାଇ ଆଲୋକ ? ଏ ଯେ ଅନ୍ଧାର ! ଅନ୍ଧାର !

ନରକର ଦୀପ ସେ କି ? ଅତି ଭୟଙ୍କର !

ଗଢ଼ିଲା ଯେ ପୁରୁଷ ଗୋ ସତୀ ଶାସ୍ତ୍ରକଥା

ସେ ଜାତି ସନ୍ତାନ ସତେ ବୁଝଇ କି ବ୍ୟଥା ?

‘ଭୁଲିଲେ କି ପଥ ନାରୀ, ଭୁଲେ ନର ପଥ ?’

କହନ୍ତି ସଂସାରୀ ଜନେ ଭାଲେ ଟେକି ହାତ ।

ଏ କି ଭଗବାନ ! ଏ କି ଗଢ଼ିଲ ସଂସାର,

ପାପ ସାରି ଫେରିପାରେ ଶତ ଲକ୍ଷ ନର–

ଚରଣ ଏ ପଥେ ପଥେ ପୁଣ୍ୟ ଦେବାଳୟେ ।

ନାରୀ ଭାଗ୍ୟେ ଏ କି କଥା ? ବିଷମ ସଂଶୟେ

ପଡ଼ି ପୁଚ୍ଛେ, କହି କି ହେ ପାର ନାରାୟଣ,

ଏ ରାଜ୍ୟେ ଏ ଭେଦବୃଦ୍ଧି କିଲାଗି ଭିଆଣ ?

ମାନବ-ବୁଦ୍ଧିର ଏ କି ବିଷମ କଳ୍ପନା !

କରିବାକୁ ନାରୀ ପଦରେଣୁ ଆରାଧନା

ଭୁଲାଇ, ଅନ୍ଧାରେ ଦୀପ ଜାଳି, ଅବଶେଷେ

ଯାଏ ଫେରି ଗତି-ମୁକ୍ତି-ଭକ୍ତି ଅବକାଶେ !

ଏ ସଂସାର ପରପାରେ ହୁଏ କି ବିଚାର

ନାରୀ ନର ପ୍ରେମ ପ୍ରୀତି, ଆହେ ବିଶ୍ୱେଶ୍ୱର !

ନାରୀର ସାକ୍ଷୀଟି ନାରୀ, ନର ସାକ୍ଷୀ ନର ।

ନର ଶାସ୍ତ୍ର କରେ ତା’ରେ ଦି’ରେ ଦି’ଗୁଣେ ପ୍ରଚାର !

ନର ଦେବାଳୟ, ନର ମୁକ୍ତି, ଉପାସନା,

ନରର କାମନା, ସିଦ୍ଧି, ପ୍ରଚାର, ସାଧନା

ତୁମ ବିଶ୍ୱଚକ୍ଷୁ ତଳେ ପାରିଥିବ ଜାଣି;

ନାରୀ ସାକ୍ଷୀ ନାରୀ-ପ୍ରାଣ-ବ୍ୟଥା, ଚକ୍ରପାଣି !

ଅପର ଅଧରବୋଳା ବିଷ ଲାଗି ତାର

ଅଧର କାଳିମାମୟ । ପରଶି କା’ କର

ନାରୀ ହେମ ଯଉବନ ଲୌହେ ପରିଣତ !

ଏକା ଦୋଷଭାର କିପାଁ ବହେ ନାରୀଚିତ୍ତ ?

ହେ ପତିତା, ବୁକୁତଳେ ଶୁଣ ଶୁଣ ଶୁଣ

ପର ଚାଟୁ ମଧୁ ଗୀତି ହୋଇ ଶତଗୁଣ

କି ଭର୍ତ୍ସନା ତାନେ ଭବଭୂମେ କରେ ଖେଳା ।

ପର ଲାଗି ନାରୀ ବାହୁଛି ଏ ପାପ-ଭେଳା ।

ପତିତା ଗୋ, ତୁମ ଲାଗି ଯୁଗ-ଯୁଗଧରି

ପତିତପାବନ ବାନା ଉଡ଼େ ଏହିଭଳି

ଜାଣି ନା କି ? ଶୁଣ ଦୂରେ ଦୂର ଦେବାଳୟେ

ବାଜିଲାଣି ଶଙ୍ଖନାଦ, ଆଉ କି ଗୋ ଭୟେ

ରହିବ କୁଟୀରେ ପଡ଼ି ଭଗ୍ନ ଯଉବନେ

କାହା ଆଶେ, କି ସପନେ ପାଷାଣ ସମାନେ ?

ଘୋଟିଲାଣି ଅନ୍ଧକାର, ଜାଳ ଜାଳ ଜାଳ

ତୁମରି ବେଦନା-ଦୀପ, ତୁମ ଅଶ୍ରୁଧାର

ଶୋଣିତ ପ୍ରସାରେ ବହିଯାଉ ଧରାତଳେ ।

ତୁମ ବୁକୁ ଶ୍ୱାସ ଉଠୁ ଝଞ୍ଜା ପରିସରେ,

ତୁମରି ନୟନତାରା ଅନଳେ ବୁଡ଼ାଇ

ଅନ୍ଧକାରଗର୍ଭେ ବାନା ଦିଅ ଗୋ ଉଡ଼ାଇ ।

ଅନ୍ତହୀନ ବ୍ୟଥା ତବ ନ ବହି ଅନ୍ତର

ରଚୁ ବସୁନ୍ଧରା କୋଳେ ମହା କୋଳାହଳ ।

ତୁମ ପ୍ରାଣରସ ଘେନି କରି ଶେଷେ ଖେଳା,

ତୁମ ଲାଗି ସଜାଡ଼ିଲା ଯେହୁ ପାପ-ଭେଳା,

ସେ କି ଶୋଇପାରେ ଧୀରେ ତୂଳିତଳ୍ପତଳେ ?

ଫଟାଇ ପ୍ରାସାଦ ତାର ଡାକ ଗୋ ଚଞ୍ଚଳେ ।

ଏକଇ ଅଧର ଲୋଡ଼ୁଥିଲା ଆନ ପାଶେ

ଅଧର ପରଶ ଲାଗି; ଏକଇ ସକାଶେ

ଆନ ମରୁଥିଲା ଧାଇଁ ଧାଇଁ ଧରାତଳେ,

ଜଣେ କି ସକଳ ଦୁଃଖ ଏକା ବହିପାରେ ?

ଧରଣୀର ଧରଷଣ ଏଡ଼ି ବ୍ୟଥାତୁରା,

ତୁମ ନେତ୍ରଧାରେ ଭାଙ୍ଗିଦିଅ ବନ୍ଧ ତ୍ୱରା ।

ପାପ ପୁଣ୍ୟ, ସତ ମିଛ ନ ଶୁଣିଲେ କେହି

ତୁମରି ଲୋତକଧାରେ ଭସାଅ ଗୋ ମହୀ ।

ତୁମରି ଜୀବନ-ଦୀପ ଜଳୁ ଟେକି ଶିଖା

ହେଉ ତୁମ ହୃଦବ୍ୟଥା ବିଶ୍ୱପ୍ରାଣେ ଲେଖା ।

•••

 

ମୋ ମାନସୀ

 

କାହିଁ କେଉଁ ଦୂରାତୀତ ସ୍ମୃତି-ସିନ୍ଧୁକୂଳେ

ଆଜି ଗୋ କହୁଛ କଥା ! ବାଜି କର୍ଣ୍ଣମୂଳେ

ରସସ୍ନିଗ୍ଧ ସେ ରାଗିଣୀ ଚମକାଏ ମନ ।

ରୂପସୀ ଚନ୍ଦ୍ରିକା କୋଳେ ଦେଖେ କି ସପନ

ଦୀନ କବି । ଜୀବନର ଗିରିଦୁର୍ଗପଥେ

ଦୁର୍ଗ-ନିବାସିନୀ ତୁମେ; ପ୍ରଥମ ପ୍ରଭାତେ

ଯୌବନର ତୁମ ତୁଲେ ପରିଚୟ ମୋର ।

ଲାଗିଲା ସେ ଦିନ ପ୍ରାଣେ ସଂଗ୍ରାମ କି ଘୋର !

କେ ହାରିଲା, ଜିଣିଲା କେ ନାହିଁ ହେଲା ବାରି,

ଗଲ ତୁମେ ଘୁଞ୍ଚି ପଛେ, ମୁଁ ଆସିଲି ଭାରି ।

ସେହି ଦିନୁ ଭାଳେ ଏବେ ସେ ସଂଗ୍ରାମ କଥା

ନିର୍ବସନା ବାସନା ମୋ ଦିଏ ପ୍ରାଣେ ବ୍ୟଥା ।

ହେ ଦୂରବାସିନି, ଦୂରେ ରଚିଲ ସଂଗ୍ରାମ

ମୁକ୍ତି ମୋର, ଅସ୍ତ୍ର ମୋର, ତୁମେ ମୋର ପ୍ରାଣ ।

ତୁମ ବିନୁ ନାହିଁ ମୁହିଁ, ସ୍ମୃତି-ବିହାରିଣି !

ତୁମରି ସ୍ମୃତିରେ ମୋର ଶ୍ୟାମଳା ଧରଣୀ

ହସିଉଠେ ଫୁଲଫଳେ । ଜାଗେ ନେତ୍ରପଥେ,

ଜାଗେ ପ୍ରତି ଲୋମକୂପେ, ଜଡ଼ ତ୍ରସ୍ତ ଚିତ୍ତେ

ସଜୀବ ମାନସୀ ମୂର୍ତ୍ତି । ଅନାଏଁ ଚକିତେ

କାଳସିନ୍ଧୁକୋଳେ ଖେଳିଉଠେ ଅବିରତେ

ଦିବସ ଯାମିନୀ କେତେ ଜୁଆର ପ୍ରକାରେ,

ଫେନସ୍ନିଗ୍ଧ ଶିଖେ ତାର ତୁମ ରୂପ ଦୋଳେ

ଭାଦ୍ର ନୀଳ ମହାକାଶ ତାରା ସମ ହସି ।

ବହୁ ଦିନ ପରିଚୟ ମନେପଡ଼େ ଆସି ।

ମାଧୁରୀ ମଦିରା ନଦୀ ଉପକୂଳେ ମୋର

ଜାଗ୍ରତ ଜୀବନତରୀ ଭରା ଯୌବନର,

ତୁମରି କପୋଳେ ଧ୍ରୁବତାରା ଦେଖି ଦେଖି

ଲାଗିଥିଲା ଅତୀତର ଝଙ୍କାର ଉପେକ୍ଷି ।

•••

 

କୁଟୀରେ

ରାଜେ ଊର୍ଦ୍ଧ୍ୱେ ନୀଳାକାଶ ଦିଗ୍‌ଦେଶବିହୀନ,

ତଳେ ଶ୍ୟାମ ବସୁନ୍ଧରା ଯୁଗ-ଯୁଗାନ୍ତର,

ଚଉପାଶେ ତରୁକୁଞ୍ଜ ସୀମା ହୁଏ ଲୀନ

ପରଶି ପୁଲକେ ମହା ମୂକ ଗିରିବର ।

ଭେଦି ନିଶି ଯବନିକା ଗଗନଦୁଆରେ

ଅମର-କୁମାରୀ-ନେତ୍ର-ତାରା ଉଠେ ଜଳି,

ପରକାଶେ ପଥେ ଘାଟେ ନିଶି ପ୍ରଭାତିଲେ

କୁମାରୀ ବଦନ ଶୋହା ତାରାଲୋକୁଁ ଜଳି ।

ଶୁଭେ ଶିଶୁକଣ୍ଠ-ବୀଣା, ବୃଦ୍ଧ ସାମଗୀତି,

ଉନ୍ମଦ ଯୌବନ-ବୁକୁ କଳନିର୍ଝରିଣୀ

ଉଠଇ ଝଙ୍କାରେ, ନର ସ୍ନେହ-ମାୟାପ୍ରୀତି

ଏକେ ଆନେ ଥାପି ରଚେ ମହା ସମ୍ମିଳନୀ ।

ଦିବସ ଆଲୋକ, ନିଶି ଛାୟା ସୁଗଭୀର

ଜୀବନର ସୁଖ ଦୁଃଖ ରଚେ ନିରନ୍ତର ।

ଭଗ୍ନ ଶିବ ଦେବାଳୟ ମଳିନ କପାଳେ

ପ୍ରଭାତୀ ତାମସେ କାକ ଯାଏ ଡାକି ଡାକି,

ଗମ୍ଭୀରା-ପ୍ରବାସୀ ଦେବ ଜାଣନ୍ତି ସଂସାରେ

କି କହି ସେ ବାର୍ତ୍ତାବହ କିବା ରଖେ ବାକି !

ପଲ୍ଲବଗହଳ ବଟ ତଳପ ବିଳାସେ

ସ୍ନିଗ୍‌ଧ ହେମ କର, ଶାନ୍ତ ଛାୟା ଘେନାଘେନି

ଯୁଗାନ୍ତ ମଶାଣି ବୁକେ ଜୀବନ କି ଆସେ

ଥରେ ଡାକିଗଲେ ବସି ପିକ ବିଶ୍ୱ-ପ୍ରେମୀ !

ଯାମିନୀ ସପନ ଶେଷେ ହସି ହସି ହସି,

କଳ ବୀଚି ଲୋଳ ଖେଳେ ସରସୀ ସୀମନ୍ତେ

କମଳ ଅଧର ଯେବେ ଫିଟେ, କୂଳେ ବସି

କୁଳବଧୂ କଳହାସ୍ୟ ଢାଳେ କେତେମନ୍ତେ !

ପଣନ୍ତ ପ୍ରସାର ଲୀଳା, ସରନ୍ତି ବଚନ

ସେ ଅଧ ଅଧରେ କରେ ସ୍ୱର୍ଗ ବିରଚନ ।

ଦୀନ ଅକିଞ୍ଚନ ଜନ ବୁକୁ ଶ୍ୱାସ ତୋଳି

ଗାଏ–‘ହରି କର ପାରି, ଗଲି ଭାସି ଏଣେ’,

ଦିବା ଶ୍ରମ ଶେଷେ କିଏ ଭାଗବତ ବୋଲି

କହେ, ‘ଜଗନ୍ନାଥ ଦାସ,’ ପ୍ରାଣ ବିମୋହନେ ।

ଧୀରପଦେ କାଖେ କରେ କଳସୀ ରୁଚିର–

ଚରଣେ ଫୁଟାଏ ବାଳା ସଞ୍ଜ-ରକ୍ତରେଖା ।

ବିଦାୟେ କି ରବି ଦେଇଯାଏ ଦାନ ତାର

କିଶୋରୀ ଅଧରେ ବିଭା ଦେବା ଲାଗି ଦେଖା ?

ଦିବସ-ବିହାରେ ରବି ସିଂହାସନେ ଯେବେ

କିରଣ କନକ ଆଭା ମଉଳେ ଭୁବନେ,

ଡାକଇ ଭିକାରି କାହିଁ–‘କର କୃପା ଲବେ’,

ଜୀବନ କାତର ବାଣୀ ଦେବତା କି ଶୁଣେ ?

ପାଲଟେ ଦେବତା ସିନା ନର ମର୍ତ୍ତ୍ୟବାସୀ,

ଆନ ଯେ ଦେବତା କଥା ବୁଝେ ଅବିଶ୍ୱାସୀ !

ଏ ପଲ୍ଲୀ କୁଟୀରତଳେ ଏ ଶ୍ୟାମ ବିତାନେ

ରଚିବା ବିହାର ଆମେ ବିଶ୍ୱ-ଗୀତା ଶୁଣି,

ଶୁକ ପିକ ବଣି ପାରା ସୁମଧୁର ଗାନେ

ଜୀବନ ସପନ ଦେଖିବା ଗୋ ପ୍ରିୟେ, ପୁଣି ।

ତୁମ ବୁକୁ ତଳେ ରବି, ଅଧରେ ଗୋ ଉଷା,

ତୁମ ନେତ୍ରକୋଣେ ଶଶୀ ମନ୍ଦିରନିବାସୀ;

ତୁମ ଶ୍ୱାସେ ମେଣ୍ଟଇଟି କେତେ ପ୍ରାଣତୃଷା,

ତୁମରି ପରଶେ ଜାଗେ ଜୀବନ, ରୂପସି !

ତୁମେ ଗୋ ଶ୍ୟାମଳ ଶୋଭା ଚିର ଜୀବନର,

ଜୀବନ ସହସ୍ର-ନାମ ଉଛୁଳେ ଚୁମ୍ବନେ ।

ଏ ପଲ୍ଲୀ କୁଟୀରେ ଆଜି କରିବା ଗୋ ଖେଳ,

ନ ମାଗିବା ଭିକ୍ଷା କା’ର ପଦେ ବିସ୍ମରଣେ ।

ଶରତ୍‌ର ଶୀତ ଶୁଭ୍ର ମହାକାଶ ଭଳି

ଫୁଟିବ ଉଜ୍ଜ୍ୱଳେ ପ୍ରୀତି ମୂକ ପ୍ରାଣକଳି ।

•••

 

ମୋ ସ୍ମୃତି

 

ଦଶଟି ଶରତ୍‌ ପଛେ ଯାଆ ଫେରିବାରେ

ସ୍ମୃତି ମୋର । ଜୀବନର ଦୂରୁ ଦୂରାନ୍ତରେ,

ବକୁଳ ନିକୁଞ୍ଜ ତଳେ, ତମାଳ ଉଢ଼ାଳେ,

ସେ ଦିନ ପ୍ରଦୋଷ ରବି ହେମ-କରଜାଳେ,

ବଦନ କୁସୁମ ଫୁଟି ପଡ଼ିଥିଲା କା’ର

ଅଯତ୍ନ କୁନ୍ତଳରାଶି ଆବୋରି କପାଳ ?

ଜନମାଉଥିଲା ଭ୍ରମ; ସରେ କମଳିନୀ

ବିଦାୟ କି ନେଉଥିଲା ଉଷା କଣ୍ଟ ମାନି ?

ତା’ କମଳିନୀ ଫୁଟି ଏ ମୋ ଅନ୍ତଃସ୍ଥଳେ

କହିଲା, ଜୀବନ-ପ୍ରୀତି ମଉଳେ କି କାହିଁ ?

ମଉଳିବି ନାହିଁ ମୁଁ ଗୋ, ମଉଳିବି ନାହିଁ ।

ସେ ମୋର କମଳ ଏବେ ହସେ ଅବିରତ

କହିବୁ ଗୋ ସ୍ମୃତି ତା’ରେ ଭେଟିଲେ ଯାବତ ।

ଭେଟିଲେ କହିବୁ ପୁଣି ଜୀବନର ଖେଳ !

ମାନେ ନାହିଁ ଦିବାରାତି, କାହିଁ କାଳବେଳ ।

ଗିରି-ଅଙ୍ଗ ତେଜି ଝର ଭେଟି ନିର୍ଝରିଣୀ

ବୋଲାଏଟି ବିଶ୍ୱପଥେ କଳ-କଲ୍ଲୋଳିନୀ ।

ଭେଟଇ ତଟିନୀ ଶେଷେ ପାରାବାର ଦେହେ,

ଉଠେ ମହା ପ୍ରୀତି-ଗୀତି ଆକାଶେ ଅଦେହେ ।

ଯୌବନ-ତଟିନୀ, ପ୍ରିୟେ, ଏ ଜୀବନ-ପଥେ,

କୁଳ ଲଙ୍ଘିଯାଏ ଯେବେ ଏ ବିଶ୍ୱ-ଜଗତେ,

ଭେଟିଲେ ସରଣୀ ଶେଷେ ପ୍ରେମ-ପାରାବାର

ମିଳେ ସିନା ଜୀବନର ମୁକତିସମ୍ଭାର !

ମୋ ଯୌବନ ମିଶିଛି ଗୋ ପ୍ରେମ-ପାରାବାରେ–

ତୁମରି କପୋଳ ତଳେ, ତୁମରି ଅଧରେ ।

ତୁମରି ଲୋଚନବିଭା ବୁଡ଼ାଇ ବସୁଧା

ନିହିଛି ସେ ପାରାବାରେ ମୋହ ପାଇଁ ସୁଧା ।

•••

 

ହସ ଗୋ ଦୁଃଖିନି !

 

ଦୁଃଖିନି ଗୋ ଦୁଃଖ ଏତେ ସହିବାକୁ ସତେ

ଦେଇଛି ଦଇବ ବଳ ପରାଣେ । ମରତେ

କହିବ କି ପାଶେ ମୋର, ଯେ ହୃଦୟ ଧରି

ଦିନରାତି ଜୀବନଟା ଦେଉଅଛି ସାରି

ବରଷା କାକର ଶୀତେ ଢାଳ ନେତ୍ରୁ ଲୁହ,

ଭସାଇ ନେଲାଣି ଦୂରେ ଜୀବନର ସୁଅ,

ପାରି କରି ଯଉବନ ଅଧାଅଧି ପଥେ,

ବାକୀ ଅଧେ ଯଉବନ, କହ କି ଜଗତେ

ଏଣିକି ଏଭଳି ସତେ ପାରିବ ଗୋ କାଟି !

ଜୀବନଟା ମଣିଅଛ ସତେ ଧୂଳିମାଟି !

ଏ ନୟନେ ଜଳେ ଏ ଯେ ବହ୍ନି କି ଭୀଷଣ,

ପାଟଳ ଅଧର ତଳେ ନ ଧରେ କଷଣ ।

ଚଞ୍ଚଳ ଚରଣ ତବ ଥରେ ଅବିରତ,

ଅଛି ତ ଚଞ୍ଚଳ ତବ ଯଉବନ-ରଥ ।

ଦୁଃଖିନି ଗୋ ଥରେ ହସ, ହସ ଥରେ ହସ,

ତିଳେ ହେଲେ ଯିବ କଟି ଯଉବନ ପ୍ରାସ ।

ଯଉବନ ଥିଲେ କି ଗୋ ଦୁଃଖ ଦେଖି ଆସେ ?

ମରିଯାଏ ଯଉବନ ପ୍ରୀତି ଅବକାଶେ ।

ଯା ଲାଗି ଗୋ ଏ ଜାଗର ଜାଳୁଅଛ ନିତି

ହସ ହସ ତା’ ଅଧର ତା’ ବଦନ ଚିନ୍ତି ।

ହସ ତାର କଥା ଭାଳି, ଯାଅ ହସି ହସି,

ନଷ୍ଟ ଯଉବନେ ହେଲେ ପାଇବ ରୂପସି,

କିଞ୍ଚିତ୍‌ ଜୀବନ ଭୋଗ । ଯଉବନ ପଥେ

ଫୁଲ ହସି ଫୁଲ ଯାଏ ହସାଇ ଜଗତେ ।

ତୁମେ ହସି ତୁମେ ଯାଅ, ନ ଛୁଅଁ ଗୋ କା’ରେ,

ତୁମରି ଦେବତା ଚାହିଁ ଥିବେ ତୁମ ପାଁ’ରେ ।

•••

 

ଏକାମ୍ର କାନନ *

 

ଦୂରେ ଖଡ଼ିଶୈଳ ସମ ଦେବାଳୟ ଶିରେ

ଉଡ଼େ ଧ୍ୱଜା, ଶୁଭେ ବାଜା କୁଳିଶ ଗମ୍ଭୀରେ

ନିର୍ଘୋଷି ଜଗତ ଜନେ–‘‘ମର୍ତ୍ତ୍ୟ ପରବାସୀ

ହେ ମାନବ, ହେ ଅନନ୍ତ-ଜୀବନ-ପ୍ରୟାସି !

ମାୟା ଅନ୍ଧକାର ତଳେ, ବାଧା ଋଜୁପଥେ,

ତୁମରି ପଡ଼ୋଶୀ ଯେବେ ତୁମରି ଅଗ୍ରତେ

ମାଗଇ କରୁଣା ଭିକ୍ଷା, ତୋଳି ବୁକେ ତା’ରେ

କର ଅଶ୍ରୁସିକ୍ତ ଧୀରେ ତା କ୍ଳାନ୍ତ କପୋଳେ !

ତା’ ନୟନେ ନେତ୍ର ନିହି, ପରଶି ତା ଶିର

ବାରେ ଦେଖ, ଥରେ ହେଲେ ଶୁଣାଅଟି ଗିର ।

ଶିଥିଳ ପଲକେ ତା’ର ଜାଳି ଜ୍ୟୋତିଶିଖା

ଦିଅ ତା’ରେ ଜୀବନର ଅବ୍ୟର୍ଥ ପରୀକ୍ଷା ।

ଧୂଳିରୁ ଉଠାଇ ଶିରେ ତୋଳ ପୁଣି ତୋଳ,

ଯିବ ତୁଟି ଧରଣୀର ଦୁଃଖ ତାପ ରୋଳ !’’

ଏ ମନ୍ଦିରମୟ ମହା ଶ୍ମଶାନ-ମନ୍ଦିରେ

ପ୍ରେତ ସମ ଯାତ୍ରୀ କିଏ ଚାଲେ ଧୀରେ ଧୀରେ–

ମୁକୁଳିତ କେଶଗୁଚ୍ଛ, ନେତ୍ରୁ ବହେ ଧାର,

ଅସ୍ତବ୍ୟସ୍ତ ଜୀବନର ସକଳ ସମ୍ଭାର ।

ମୋହନ ସପନ ଯେତେ ଯଉବନ ସମ–

ବୁଝି ନ ପାରଇ ବାଳା ରହସ୍ୟ ନିଗମ ।

ହାତେ ପୋଛି ଲୁହଧାର, ଆର ହାତେ ଟାଣେ

ଏ ମନ୍ଦିର ବଡ଼ଦାଣ୍ତେ ପ୍ରାଣ ପ୍ରିୟତମେ !

ଅପରର ତନୁ ମନ କାମନା ନିକର

କରିଥିଲା ପରା ବାଳା ଦିନେ ଆପଣାର !

ଆନ ବୁକୁତଳେ ସ୍ୱପ୍ନ ଦେଖି ଦେଖି କେତେ,

ଦୂରେ ଚାଲିଥିଲା ପରା ପ୍ରେମ-ସିନ୍ଧୁ-ପଥେ ?

ସକଳ ସୁମରି ଆଜି ଚାଲେ ବାଳା ଚାଲେ,

ଯାଇଛି ତା ପ୍ରିୟତମ ଭବ ପରପାରେ !

ଦୁଇପାଶେ ଏ କି ପୁଣି ବସି ଧାଡ଼ି ଧାଡ଼ି

ପାଷାଣ ମୂରତି ସମ ନରତନୁଧାରୀ–

ଏ ଯେତେ ବଧିର ଅବା ନ ଶୁଣନ୍ତି କାନେ,

ମନ୍ଦିର ବାଜଣା ନାଦେ ! ପାସୋରି ଧରମେ

ଦେବ-ଅରଚନେ ରତ ମାନବସକଳ !

ଏ ମାନବ-ସେବାପୂଜା ଦେବ ମହେଶ୍ୱର

କରନ୍ତି ଗ୍ରହଣ ସତେ ?ଶିଳା ଖଣ୍ତ ପ୍ରାୟେ

ସ୍ନେହ-ଦୟା-ପ୍ରୀତିଶୂନ୍ୟ ନିର୍ମ୍ମମ ହୃଦୟେ

ଦେଖନ୍ତି ଏ ଭୀମ ଦୃଶ୍ୟ ! ସାହାସାଥିହୀନ

ତରୁଣୀ ନିଅଇ ଟାଣି ପ୍ରାଣ ପ୍ରିୟତମ–

ଶବଦେହ । ତା’ ରୋଦନ, ତାର ଦୀର୍ଘଶ୍ୱାସ

ଆଣିପାରେ ସିନା ଏହି ଶିଳାଦେହେ ପ୍ରାସ !

ଏ ମାନବ-ଶିଳା ବୁକୁ ତଳେ ତଳେ ଝରେ

ସତେ ସ୍ୱାର୍ଥ ହଳାହଳ ମାଡ଼ି ଦୁଇ କୂଳେ !

ପାଷାଣ ମନ୍ଦିର ଆରେ ! ପଡ଼ ଢଳି ତଳେ,

ଚୁମ୍ବୁ ଏ କପୋଳ ଧ୍ୱଜା ଭ୍ରମି ଅବହେଳେ !

ଧୂଳି ସମ ଯାଉ ମିଶି ଏ ପାଷାଣ ଶିରୀ,

ନ ଜାଣନ୍ତୁ କେହି ଏଥି ଥିଲା ଦେବସ୍ଥଳୀ !

ଦେବତା ମନ୍ଦିର ପରା ହୃଦ ଅନ୍ତଃସ୍ଥଳ,

ଆଉ କି ମନ୍ଦିର ପୁଣି ଲୋଡ଼ା ମାନବର ?

ଏ ମନ୍ଦିର ନାମେ ବଳି ଦେଇ ହୃଦ ଧର୍ମେ

ବୁଝାଇ ମାନବ ଏଥି ନିବିଡ଼ ନିର୍ମମେ

ଆନ ପ୍ରାଣ ବ୍ୟଥା ପ୍ରୀତି । କିପାଁ ତେବେ କହ,

ଏ ମନ୍ଦିର ଆଣଇ କି ମୁକ୍ତି ଦୟାମୟ !

ଏ ମନ୍ଦିର ଛାଇତଳେ ଫୁଟେ କି ଜୀବନ–

ଜୀବନ ଶାଶ୍ୱତ ଛନ୍ଦ, ମୁକତି ସପନ ?

ନାହିଁ ଯେବେ, ତେବେ କିପାଁ ତୋଳ ଉଚ୍ଚେ ଶିର,

ହେ ମନ୍ଦିର, ମୁକ୍ତିପଥ ଖୋଲ ମୋର ଖୋଲ !

 

*

ଏକାମ୍ରକାନନେ–ଭୁବନେଶ୍ୱର ଦେଉଳରେ ବାଜା ବଜାଉଥିବା ଲୋକର ମୃତ୍ୟୁ ହେଲା । ତା’ ମଡ଼ାକୁ କୌଣସି ଲୋକ କାଢ଼ିବାକୁ ରାଜି ହେଲେନାହିଁ । ଶେଷରେ ତାର ସ୍ତ୍ରୀ ଖଣ୍ତିଏ ଛୋଟିଆ ଚକଲଗା ଶଗଡ଼ କରି, ସ୍ୱାମୀର ଶବକୁ ସେଥିରେ ଶୁଆଇ ବଡ଼ଦାଣ୍ତରେ କାନ୍ଦି କାନ୍ଦି ନିଜେ ଭିଡ଼ି ଭିଡ଼ି ନେଇ ଦୂରରେ ଫିଙ୍ଗିଲା ।

•••

 

ସଖା-ସ୍ମୃତି *

 

କାହା ପାଇଁ ଦିଅ ଭାଇ ଲୁହ ଏଥି ଢାଳି,

ଶେଷ ଶେଯେ ଶୋଇଛି ଏ କା’ ନେତ୍ରସଙ୍ଖାଳି ?

କେତେ ଯେ ଯୋଜନ ପରେ ଗିରି ନଦୀ ଡେଇଁ

ବୁଡ଼ିଥିବ ଭାଳେଣିରେ ତା’ ଜନନୀ କାହିଁ ?

ଗଣୁ ନ ଥିବ ସେ ଆଜି ରଜନୀ ତାମସ

ବସନ୍ତ ମଳୟ ଭେଦି ଉଠୁଥିବ ଶ୍ୱାସ ।

ଲଭୁଥିବ ବେଳେବେଳେ ଅଜାଣତ ବ୍ୟଥା,

ମୂକ ଧୂଳି ମାଟି ତା’ରେ କହୁଥିବ କଥା ।

ନିମିଷକ ବାରତା ସେ ମଣୁଥିବ ଯୁଗ,

ହୃଦେ ଜାଗି ଉଠୁଥିବ ଅତୀତ ସୋହାଗ ।

ଏଠି ଯେ ଶୋଇଚି ପୁଅ ଶେଷ ସନମାନେ,

ଏ ଯେ ଶେଷଶୁଆ କଥା ଥିବ କି ତା’ ମନେ ?

ଶିଖା ତୋଳି ଏଠି ଏଣେ ଉଠଇ ଅନଳ

ମୂଳ ବୁକୁ ରକ୍ତ ତାର ତେଣେ ଛଳଛଳ !

ଏ ମୋହନ ତନୁ ଶିରୀ କେତେ ଯୁଗ ପାଇଁ

ବନଗିରି ଧରି ମୋର ନେତ୍ରେ ଥିବ ଉଇଁ ।

ଏ ମୋହନ କଣ୍ଠଗାନ ଚମକେ ଚମକେ

ଭ୍ରମେ ଶୁଣୁଥିବି ମୁଁ ଯେ ପଶୁପକ୍ଷୀ ଡାକେ ।

ବିଜନେ ବିହରି ଏଥି ନୀରବ ଉଦାସେ

ଦରଫୁଟା ହାସେ ସାଥୀ ଶୋଇଛି ତ ଶେଷେ ।

ମିଶିଛି ପାଉଁଶେ ତାର ହେମ ଅପଘନ,

ଲଭିଚି କି ଅବସର ଜୀବନ-ସପନ ?

ବକୁଳ ତମାଳ ଦରମୁକୁଳିତ କଳି,

ସପନ ବିହାରେ ଅବା ରହିଗଲେ ଢଳି !

ମରଣ ମୂରତି ଛାୟା ନାହିଁ ମୁଖେ ତାର,

ମରଣେ କି ଫୁଟି ପାରେ ଜ୍ୟୋତି ନୟନର ?

ଏ କୁଞ୍ଜୁ ମୋ ସାଥୀ ଗଲା ଆନ କୁଞ୍ଜେ କାହିଁ,

ଏ ଜଗତ ସଖା, ବସି ଭାବେ ତାହା ପାଇଁ ।

 

*

ସଖାସ୍ମୃତି–ସତ୍ୟବାଦୀରେ ବୈଷ୍ଣବ ବୋଲି ଗୋଟିଏ ଛାତ୍ରର ମୃତ୍ୟୁରେ ।

•••

 

ଦିନେ

 

ଦିନେ ସେ କିଶୋରପଥେ ଆଗୋ ସୋହାଗିନି,

ପାରିଥିଲି ତୁମକୁ ମୁଁ ଜୀବନରେ ଜାଣି ।

ଦେଖିଥିଲି ସପନରେ ନିଶୀଥିନୀ କୋଳେ,

ଦୂର ନଭେ ତାରାମେଳେ ଥିଲ ତୁମେ ଦୂରେ ।

ଥିଲ ତୁମେ ଫୁଲେ ଫୁଲେ ବାସରୂପେ ମିଶି,

ନିଶି କୁମୁଦିନୀ କୋଳେ ଥିଲ ତୁମେ ହସି ।

ଦକ୍ଷିଣା ପବନେ ତୁମେ ମନ ସନମାନେ

ଉଡ଼ାଇ ଅଞ୍ଚଳ ବୁଲୁଥିଲ ଏଣେତେଣେ ।

ପିକ ତୁଲେ ବସି କେତେ କହୁଥିଲ କଥା–

ଗାଉଥିଲ କି ଗୋପନ ମରମବାରତା !

ପ୍ରଭାତ ପାଟଳ ତୀରେ ହସି ମନ୍ଦ ମନ୍ଦ

ରଚୁଥିଲ ଧରଣୀର ଲୀଳା-ଅରବିନ୍ଦ ।

ହରିଣୀନୟନେ ମିଶି ଚାହୁଁଥିଲ କାହିଁ,

ଚପଳାର ସାଥୀ ତୁମେ ମୋର ପ୍ରାଣସହୀ ।

•••

 

ଆଜି ଏ ପ୍ରଭାତେ

 

ଧରଣୀର ରୂପସିନ୍ଧୁ ଅବା ଉଦ୍‌ବେଳିତ ଆଜି ଏ ପ୍ରଭାତେ,

ପାଲଟିଲା ଶ୍ୟାମ ଶିରୀ ପୀତ ମହାର୍ଣ୍ଣବେ; ଜଳିଲା କି ସତେ

କାମନାର ତୀବ୍ର ଶିଖା ତୀବ୍ରତର ବେଶେ ? ଉନ୍‌ମୁଖ ଶିଖରୀ

ଦେଖେ ଦୂରେ ମୁଖ ଟେକି । ମହାକାଶ ତଳେ ବାଜେ କରତାଳି !

ଚଳପକ୍ଷ ବିହଙ୍ଗମ ନିଃସଙ୍ଗ ସଙ୍ଗୀତେ ସଚକିତ ଧରା,

ଅବା ଶୀତ-ଶୀର୍ଣ୍ଣ ତନୁ ଗଲାବେଳେ ତେଜି ଏ ଉତ୍ସବ ପରା !

ବାଜିଉଠେ କ୍ଷେତେ କ୍ଷେତେ ଏ କିବା ଝଙ୍କାର କିବା ଖରଶ୍ୱାସ,

ମୃତ୍ୟୁ ପଛେ ସତେ ଆସେ ପକ୍ୱ ଶସ୍ପପାତ୍ରେ ? ଜୀବନ ଉଚ୍ଛ୍ୱାସ ?

ଶୁଣି ଶୁଣି ଏ ସଙ୍ଗୀତ, ଏ ଶତ ଉଚ୍ଛ୍ୱାସ, ଏ ନିଃଶ୍ୱାସ ନାଦେ

ଯୌବନ ଶିଖରୀ ତଳେ କାମନା ନିର୍ଝର ରଚେ ନିର୍ବିବାଦେ

ଅତୀତର ମୃତ୍ୟୁ କର୍ଣ୍ଣେ ମଧୁର ସଙ୍ଗୀତ । ଶୁଣ କିଏ ଶୁଣ,

ଜାଗିଉଠେ ଧରଣୀର ଏ ନବ ପ୍ରଭାତେ ଉଜ୍ଜ୍ୱଳ ଜୀବନ !

ଧରଣୀର ରୂପଶିଖା ନିତ୍ୟ ଯୌବନର ତୀରେ ତୀରେ ଉଠେ,

କ୍ଳାନ୍ତ ବୁକୁ, ଶ୍ରାନ୍ତ ତନୁ ଲୋଡ଼େନା ମୁଁ କେବେ ମୋ ଯୌବନ-ପୀଠେ ।

•••

 

ଦେଖ ସ୍ୱପ୍ନ ପୁଣି*

 

ଧରଣୀର ସନ୍ଧ୍ୟା ସିନ୍ଧୁତୀର ପ୍ରାନ୍ତେ ବସି

କିଏ ତୁମେ କି ସପନ ଦେଖ ହେ ଉଦାସି !

ଗଣୁଛ ଲହରୀ ସତେ, ହୃଦ-ସିନ୍ଧୁ ତଳେ

ଆଉ କି ନ ଉଠେ ତବ ଲହରୀ ହିଲ୍ଲୋଳେ ?

କୁଞ୍ଚିତ କପୋଳେ ଶିଖା କ୍ଷିପ୍ତ ଭାବନାର

ନେଇଛି ବିଦାୟ ସତେ ? ପୁଣ୍ୟ ଉପହାର

ଦେଇଗଲା ଯେ ଯୌବନ କଣ୍ଠେ, ନେତ୍ରେ, ବୁକେ,

ଜୀବନର ବାଣୀରୂପେ ସବୁରି ସମ୍ମୁଖେ–

ଅଳକାର ଲୀଳାୟିତ ସହାସ୍ୟ ବଦନ,

ଅଚୁମ୍ବିତ ତନୁଶିଖା ଅସ୍ପର୍ଶ କମ୍ପନ;

ଫେରି ଥରେ ଚାହଁ ଜୀବନର ମଧ୍ୟଭାଗେ–

ଧରଣୀର ବୁକୁତଳେ ତୁମ ଛାୟା ଜାଗେ ।

ଶାନ୍ତ ତବ ଦେହ ଦୀପତଳେ ସ୍ମୃତିବେଶେ

ଏବେ କି ହେ ସେ ସପନ ବାରେ ନାହିଁ ଆସେ ?

କି ଲାଗି ସପନ ତେବେ ଦେଖ ମର ନର ?

ପ୍ରବାଳ ଅଧର ଲାଗି ଆକୁଳ ଅନ୍ତର ?

ଚପଳ ଲୋଚନ ଜ୍ୟୋତି ହୃଦୟ-କନ୍ଦରେ

ସତେ କି ଆଲୋକ ଜାଳେ ? ସତେ ପ୍ରେମାଦରେ

ଫୁଟଇ ଦୁଇଟି ହୃଦେ ପ୍ରାଣ-ପାରିଜାତ

ପରିପୂର୍ଣ୍ଣ ମୁକ୍ତିରୂପେ ? ସତେ କି ଜାଗ୍ରତ

ଧମନୀର ତଳେ ତଳେ ଉଠେ ବହ୍ନି ଜଳି ?

ପ୍ରଭାତର ଶୁକ୍ର ତାରା ନ ଯାଏ ମଉଳି ?

ନୁହେଁ, ନୁହେଁ, ତନୁ ଦୀପତଳେ ପୁଣି ଜଳେ

ଅରୂପ ସେ ମହାଦୀପ ବିଶ୍ୱ ପରିସରେ ।

ସେ ଆଲୋକେ, ହେ ଉଦାସି, ଦେଖୁଛ କି ବସି

ଉଦ୍‌ବେଳିତ ଯଉବନ ଭାବସିନ୍ଧୁରାଶି

ଧରଣୀର ସନ୍ଧ୍ୟା ସିନ୍ଧୁତୀର ପ୍ରାନ୍ତେ ରହି ?

ଦେଖ ସ୍ୱପ୍ନ, ଦେଖ ପୁଣି, ହେ ବିଶ୍ୱ ବିରହି !

ନାହିଁ ତହିଁ ଚୁମ୍ବନର ପିଚ୍ଛିଳ କମ୍ପନ ।

ଗଗନେ ତାରକା ଯଥା କରେ ଆଲିଙ୍ଗନ,

କୁସୁମେ ସୌରଭ ସମ, ଜଳେ ବୀଚିଭଳି

ଶରୀର କାମନା ତଳେ ପ୍ରୀତି ଉଠେ ଜଳି ।

ନାହିଁ ତହିଁ କୁହାକୁହି, ଖାଲି ନିର୍ନିମେଷ

ଲୋଚନ-ପଲକେ ନାଚେ ରୂପାତୁର ବିଶ୍ୱ ।

•••

 

ପ୍ରୟାଣେ *

 

ଧରଣୀର ପାପତାପ ସୀମା ପରପାରେ

କାହିଁ ସେ ଅମୃତ ବିଶ୍ୱ ? ଭୁବନ ବାହାରେ,

କେଉଁ ଗ୍ରହଲୋକେ ଅବା କେଉଁ ତାରାମେଳେ,

କେଉଁ ପୁଣ୍ୟ ତଟିନୀର ଶାନ୍ତ ସ୍ନିଗ୍ଧ ତୀରେ

ବିରଚିଲ ନିଜ ବାସ ନିଜ ମନୋମତେ;

ଜଣାଯିବ ନାହିଁ ଆଉ ଏ ମର-ଜଗତେ ?

ଅନନ୍ତ ଜୀବନ-ନଦୀ ପୁଣ୍ୟତୀରେ ବସି

ମରଣ-ସିନ୍ଧୁକୁ ସତେ ଗଲ ଚାଲି ଖସି !

ନ ଆସିବ ଅବତରି ପଲ୍ଲୀପୁର ବାସେ,

ଏ କି ଯାତ୍ରା ହେଲା ଶେଷ ଏ ମର-ପ୍ରବାସେ ?

ଜାଣିଥିଲେ ଆଗୁଁ ଥରେ କହିଥାନ୍ତି କଥା,

ଜୀବନ ଅକୁହା ବାଣୀ, କି ଗୋପ୍ୟ ବାରତା ।

ପରପାରେ ବସି ତହିଁ ଆହେ ଗୁଣିବର,

ଏବେ କି ଶୁଣିବ ମୋର ବ୍ୟଥା ମରମର ?

ଜୀବନ-ଦୋସର ଯେବେ ଯିବ ଦୂରେ ଚାଲି

ଜୀବନ ହୋଇବ ସିନା ମହାଶୂନ୍ୟ ଖାଲି !

ଶୂନ୍ୟ ରୂପ, ଶୂନ୍ୟ ବେଶ, ଖାଲି ହାହାକାର–

ଜୀବନର ରଙ୍ଗବଞ୍ଚ ଘୋଟେ ନିରନ୍ତର ।

କି ଲାଗି ଜୀବନସଖା, ଆସ ପୁଣି ଥରେ

ସେହି ସ୍ମୃତି, ସେହି ଛାୟା, ସେହି କଣ୍ଠସ୍ୱରେ ?

ନ ଦେଖାଅ ରୂପ କିଆଁ ? ବଢ଼େ ମନେ କୋହ,

ମରତ-ମାନବ ପାଇଁ ଏ କି ଖାଲି ମୋହ ?

ପରଶ ନ ଦେବ ଯେବେ ସେ ଚରଣ ତଳ

ଶୁଣ ତେବେ ଏ ମରମ ଦାରୁଣ ଚିତ୍‌କାର ।

ତୁମ ପଛେ ପଛେ ଏ ଯେ ତୁମରି ଧରଣୀ

ଜଳେ ସ୍ଥଳେ, ବନେ ବନେ ଗାଏ ବୃଥାବାଣୀ ।

ଥରେ ନାହିଁ ପରଶିଲେ ଚରଣ-କମଳ

ମରୁ ପାଲଟିବ ସିନା ମର ମହୀତଳ !

ସନ୍ଧ୍ୟାଗମେ ଶୀତ ସ୍ନିଗ୍‌ଧ ସମୀର ବିହାରେ,

ଗଭୀର ନିଶୀଥେ ରମ୍ୟ ପଲ୍ଲୀ କୁଟୀତଳେ,

ସୁରମ୍ୟ ପ୍ରଭାତ ବାତ ମଧୁ ପରଶନେ,

ତୁମରି ମଧୁର ସ୍ମୃତି ଜାଗେ ଏ ପରାଣେ ।

ମହାନୀଳାକାଶ-କୋଳବିହାରୀ ତାରକା

ତୁମ ପରିଚିତ ବୋଲି ମନେ ଆସେ ଏକା ।

ତୁମ କରପାଳିତ ଯେ ଉପବନ ଲତା

ଫୁଲେ ଫୁଲେ କହିବ କି ତୁମରି ବାରତା ?

ପରଶି ଚରଣ ତଳ ସହସ୍ର ଦିବସ

ମଉନେ ପାଷାଣ ଏ ଯେ ଥାଏ ଅହର୍ନିଶ ।

ସେ କି କଥା କହିବ ହେ ଅକୁହା ବଚନେ ?

ଚିର ଜୀବନର ପରା ପରିଚିତ ଜଣେ !

ପରିଚିତ ସଂସାରେ କି ନାହିଁ ପରିଚୟ,

ନିରେଖଇ ତୁମ ରୂପ ଜଳସ୍ଥଳମୟ ।

 

*

ପ୍ରୟାଣେ–ବାଣପୁର ସ୍କୁଲର ଜଣେ କର୍ମୀଙ୍କ ମୃତ୍ୟୁରେ ।

•••

 

ଯାତ୍ରାପଥେ *

 

ବନ୍ଧୁ, ଏ ଯେ ଦୂରେ ଦେଖ, ଦୂର ଗିରିପଥେ

ଧୂସର ନୀଳିମ ରେଖା ଫୁଟିଉଠେ ସତେ

ଆବରି ଏ ଶ୍ୟାମକାନ୍ତେ ବସୁଧା କପୋଳ;

ଘୋଟିଆସେ କାହୁଁ ଏ ଯେ ମହା ଘନରୋଳ

ଫଟାଇ ଗଗନ । ରଙ୍ଗେ ହସେ ବିଦ୍ୟୁଲ୍ଲତା ।

ସ୍ୱର୍ଗବିଳାସିନୀ ବାଳା ଅବା ଚକ୍ଷୁପତା

ଫିଟାଇ, ପକାଇ ଲୁଚେ ! ଝରଝର ଝର

ଝରଇ ନୀରଦଧାରା ଧାରା-ଶ୍ରାବଣର ।

ସେ ପାଖେ କି ଶ୍ୟାମ ତରୁକୁଞ୍ଜ ଅନ୍ତରାଳେ

ପଲ୍ଲୀପଥେ ପଲ୍ଲୀବାଳା ଚାହେଁ କୁତୂହଳେ ?

ଆସେ ସ୍ରୋତ କାଟି କାଟି ନାବ ବକ୍ରଗତି,

କେବେ ପଡ଼ି, କେବେ ଉଠି, କେବେ ଟେକି ଛାତି ।

ସମ୍ମୁଖେ ଏ ଶୈବଳିନୀ ତରଙ୍ଗବିହାରେ

ଏ ପ୍ରାବୃଟ ଭୀମକାନ୍ତ ଛବି ଦେଖ ବାରେ ।

ପାରିହେବା ଏହି ପଥେ, ବନ୍ଧୁ, ଆର କୂଳେ

ଡାକୁଥିବ ବିହଗ ବା ବଂଶୀକୁଞ୍ଜମୂଳେ

ଆରକ୍ତ ପ୍ରଦୋଷ ପଥେ; ସମୀର ପରଶେ

ଶୂନ୍ୟ ବଂଶୀ ବାଜିଉଠୁଥିବ ପଉରୁଷେ !

ଆର କୂଳେ କାହିଁ ମଧୁ ସହକାର ବନ

ଶ୍ୟାମଳେ ସଜାଡ଼ୁଥିବ ସହସ୍ର ଜୀବନ ।

ଦିବସ ଯାମିନୀ କେତେ ବରଷେ ବରଷେ

ଜୀବନ-କଳିକା ଫୁଟୁଥିବ ଆଦରଶେ

ବିଶ୍ୱ ପ୍ରସାରଣେ, ନିତ୍ୟ କରୁଥିବ ଖେଳା

ଭୁଲି ଋତୁକାଳ ଭେଦ ବିଧୁରା କୋକିଳା !

ସତ ଯେବେ, ସେ ବିଜନ ଶ୍ୟାମକୁଞ୍ଜ ଶେଯେ

ଖେଳିବା କୁତୁକେ ସ୍ନିଗ୍ଧ ପୁଣ୍ୟ ଶୀତରଜେ ।

ଲଭିବା ଜୀବନପଥେ ଆନ ପରିଚୟ

ଏ ଭୀଷଣ ଛବି ପାଶେ ଛବି କମନୀୟ ।

ଚାଲ ଚାଲ ଚାଲ ତରୀ ଚାଲ ଚାଲ ଚାଲ,

ଝରେ ଶିରେ ବାରିଧାରା, ଦୂର ଗିରି-ଧାର

ଲୁଚିଲାଣି ମସୀ ରେଖେ, ନାହିଁ ନାହିଁ ନାହିଁ–

ଦୂର ଚକ୍ରବାଳ ଏବେ ରହିଲାଣି କାହିଁ ।

ଦୂର ବନ୍ଧୁ ରହିଲେଣି କାହିଁ ମୋର ଦୂରେ,

ଝୁରୁଥିବ ମୋ ପ୍ରେୟସୀ ବସି ମୋର ପୁରେ–

ନୀରୋଳ କୁଟୀରକୋଳେ । ଚଳ ଜଳ ଭାଲେ

ନୀରବେ ମୋ ତରୀଟି ଗୋ ବହିଯାଆ ବାରେ ।

ଏ କି ଭାଷା, କି ବାରତା ଏ ଲହରେ ଆସି

କ୍ଷଣୁ କ୍ଷଣେ ଏ ଶ୍ରବଣେ ଯାଏ ଗୋ ପରଶି ।

ଅବୁଝା ଏ ଗୀତି ଲୀଳା କି ପାରିବି ଜାଣି,

ଏ ପାଶେ ସେ ପାଶେ ତଳେ ଉପରେ ମୋ ପାଣି ।

ଜୀବନର ବହୁପଥ-ବୁଲା ସଙ୍ଗୀତ କି

ବହୁବୁଲା-ଜୀବନେ ମୋ ଯାଏ ଡାକି ଡାକି ?

ଲାଗିବ ଏ କୂଳେ ତରୀ, ସେ କୂଳେ ପଲକେ

ଦିଶେ ନାହିଁ ଜ୍ୟୋତିରେଖା ଦ୍ୟୁଲୋକେ ଭୂଲୋକେ ।

ଜଳସ୍ଥଳ ଏକାକାର, ତରୀ ଯିବ ଚାଲି ।

ଜୀବନ ମରଣ ସୀମା ହେବ କେହ୍ନେ ବାରି

ସଂସାର-ତଟିନୀପଥେ; ଯାଇ ତରୀ ଯେବେ

ଜୀବନର ପରପାରେ ପରଶିବ ଲବେ ?

ଅନ୍ଧାର ବା ଆଲୋକ କି ଆସିବ ଆବରି

କୂଳ ଛାଡ଼ି ଆର କୂଳେ ଲାଗୁ ଲାଗୁ ତରୀ ?

କେ କହିବ ଏ ସମସ୍ୟା ମର ଜୀବନର,

ଆର ପାଖେ ଥିବ ନିକି ନିକୁଞ୍ଜ ମନ୍ଦିର ?

କଳ୍ପିତ ବସନ୍ତକୁଞ୍ଜ ଥିବ କି ସେ ପଥେ,

ଦେବାକୁ ଏ ମର୍ତ୍ତ୍ୟବାସୀ ପଥକ୍ଳାନ୍ତ ଚିତ୍ତେ

ବାରେକ ମୋହନ ସ୍ପର୍ଶ । ଥରେ ବସି ତହିଁ

ବିଧୁରା କୋକିଳା ସତେ ନ ଉଠିବ ଗାଇ ?

ନ ଲାଗୁ ଏ ତରୀ କୂଳେ, କହ ବନ୍ଧୁବର,

ନାହିଁ ଯେବେ ଥିବ ତହିଁ ମୁକ୍ତି କଳ୍ପନାର;

ବ୍ୟଥାତୁର ଜୀବନର କ୍ଷୀଣ ଶାନ୍ତିରେଖା,

ହେଲେ ପାରି କୂଳ ଯେବେ ନ ମିଳିବ ଦେଖା

କି କରିବ ବସି ତହିଁ, ଥରେ ଭାବ ଥରେ,

ନ ଥିବ ସେ ତରୀ ପଦ ଲାଗିଲେ ସେ ତୀରେ ।

ଖାଲି ସେ ଲହରୀ ଶିର ଦେଉଥିବେ ତୋଳି

ଜୀବନର ବର୍ଷ ବର୍ଷ ସ୍ମୃତି ବେଶ ଧରି ।

ଲୋଡ଼ନା ଯିବକୁ ତହିଁ ନ ପାରିଲେ ଜାଣି,

ହେଉ ପଛେ ଅଧଃ ଊର୍ଦ୍ଧ୍ୱେ ଚଉପାଶେ ପାଣି

ସେ ଭୀମ ଆବର୍ତ୍ତ କୋଳେ । ସେ ସ୍ରୋତ ପ୍ରସାରେ

ମିଶିବ ଜୀବନଧାରା ମହା ପ୍ରଳୟରେ ।

ସ୍ରୋତହୀନ ଜୀବନ କି ରହିପାରେ ଧରି

ନିତ୍ୟ ସତ୍ୟ ଚଳଶୀଳ ମହା ବିଶ୍ୱଶିରୀ ।

ଜୀବନ ସପନ ଯେବେ ନ ପାରିବି ଭେଟି

ସେପାଖେ ସେ ପରକାଳ ଉପକୂଳେ ଉଠି,

ନ ହେଲା ମୋ ଯିବ ତହିଁ । ହେବ ତରୀ ସ୍ଥିର,

ରଚିବି ମୁଁ ସେ ଉତ୍ତାଳ ସ୍ରୋତ ଶିରେ ଘର

ଘନ ଅନ୍ଧକାର କୋଳେ । ନ ଭୁଲି ସ୍ୱପନ

ଅନ୍ଧକାରେ ଲଭିବି ମୁଁ ଏ ପ୍ରାଣ-କମ୍ପନ ।

ଭୟ କିବା ? ଜୀବନର ରୂପମୁଗ୍‌ଧ ଛାୟା

ସେ ସ୍ରୋତ ପରଶି ବିରଚିବ ନବ ମାୟା ।

ପାହିବ ତ ନିଶି ପୁଣି, ଆଉ କିବା ଭୟ ?

ଜ୍ୟୋତି ପରଶିବ ମୋର ଏ ଯୌବନମୟ ।

ଉଠିବ ତରଙ୍ଗ ! ଉଠୁ ଚୁମ୍ବି ଓଷ୍ଠଧାର,

ଆସିବ ତ ବେଳ ତାର ଭୂଇଁ ଚୁମ୍ୱିବାର ।

ସେ ସରଣୀ ! ଭୟ ନାହିଁ, ଭୟ ନାହିଁ ତିଳେ,

ଠାଏ ତ ଏ ପ୍ରବାହିନୀ ସିନ୍ଧୁଗର୍ଭେ ମିଳେ ?

ଜୀବନ-ଯୌବନ-ସ୍ରୋତ ବହିଯାଏ ଭାଇ,

ଅନ୍ଧକାରେ, ଅନ୍ଧକାରେ, ଅନ୍ଧାକାରେ କାହିଁ–

କହେ ସିନା ମର୍ତ୍ତ୍ୟବାସୀ ଭୀରୁ ନର ପ୍ରାଣ,

ଅନ୍ଧକାରେ ହସେନା କି ବିକଚ କୁସୁମ ?

ଅନ୍ଧକାରେ ତଟିନୀ କି ଭୁଲେ ତାର ପଥ ?

ଅନ୍ଧାକାରେ ଗତିଚ୍ୟୁତ ତାରା ଚନ୍ଦ୍ର ରଥ ?

ଅନ୍ଧକାରେ ଧୂମକେତୁ ଉଜଳେ ଦି’ଗୁଣେ,

ଅନ୍ଧକାରେ ଏ ଜୀବନ ବଜ୍ରବାଣୀ ଶୁଣେ

ନିସ୍ତବ୍‌ଧ ଗମ୍ଭୀର ଭାବେ । ତେଣୁ ଯଉବନ

ପ୍ରେମ ପ୍ରୀତି ନାହିଁ ବାରେ ଅନ୍ଧକାରେ, ଜାଣ ।

ଯିବା ନାହିଁ ଆର କୂଳେ ଅନ୍ଧକାର ଛାଡ଼ି,

ଆସୁ ପଛେ ମହାବୃଷ୍ଟି ଚଉପାଶେ ମାଡ଼ି,

ସେ କୂଳ ଏ କୂଳ ସୀମା ହେଉ ଏକାକାର–

ଜୀବନ ମରଣ ସୀମା ସୂକ୍ଷୂଁ ସୂକ୍ଷ୍ମତର !

ବହୁଯୁଗ-ପ୍ରବାହିନି, କହିବ କି କଥା,

ଜୀବନର ତରୀ ଯାଏ ଏହିପରି କି ତା’–

ଆର କୂଳେ–ଏ ଭୀଷଣ ଘନଘୋର ରାତେ

ନ ଜାଣି, ଭେଟିବ ଅବା ନ ଭେଟିବ ପ୍ରାତେ ?

କହ ଗୋ ତଟିନି, ବାରେ, କେବେ କିଏ ଆସି

ମୋ ପରି ଯୌବନଲୋଭୀ ଯାଆନ୍ତି କି ଭାସି

ତୋ ବୁକୁ ତରଙ୍ଗ ଛୁଇଁ, ନ ଛୁଇଁ ସେ ତୀରେ–

ଘୋଟିଆସୁଥାଏ ଯେବେ ପ୍ରଳୟ ମହୀରେ !

ନେତ୍ରମନ-ଅଗୋଚର ସେ ଅଜଣା ଦେଶେ

ଥାଉ ପଛେ ହେମ ମୃଗ ଶୁଭ୍ରତର ବେଶେ,

ଜୀବନ-ସମ୍ଭୋଗ ଇଚ୍ଛା ତେଜି ମର୍ତ୍ତ୍ୟକୋଳେ

ଯିବ ନାହିଁ ଆର ପାଖେ ମାୟା-ମୋହଭୋଳେ ।

ଜୀବନ ମଦିରା ବୃଥା ନ କରିବି ଶେଷ

ନ ଦେଖିଲାଯାଏଁ ତହିଁ ମୁକତି ବିକାଶ ।

 

*

ଯାତ୍ରାପଥେ–ମଧୁପୂର ସ୍କୁଲଟି ବ୍ରାହ୍ମଣୀ ନଦୀକୂଳରେ ଏକ ଆମ୍ବ ବଗିଚା ଭିତରେ । ବର୍ଷାଦିନେ ସେ ପାଖରେ ନଦୀ-କୂଳ ବୁଡ଼ାଇ ଚାଲେ । ତାହା ବଡ଼ ଭୀମକାନ୍ତ ଦୃଶ୍ୟ ।

•••

 

ବିଦାୟ ତୋ ପଦେ

 

ତୋ’ ପଦେ ବିଦାୟ, ଆଜି ବିଦାୟ ତୋ’ ପଦେ,

ଆଗେ ପଲ୍ଲି ସୁହାସିନି ! ସମ୍ପଦେ ବିପଦେ,

ସହାସ୍ୟ କୌତୁକେ କେତେ, କେତେ ଅଶ୍ରୁଧାରେ

ଯାପିଲି ଜୀବନ ତୋର ହୃଦୟ-ବିହାରେ ।

ଗଲା ପାହି କେତେ ନିଶି ଶଶୀ ତାରା ତଳେ,

କେତେ ଯେ ଦିବସ ଗଲା ସଙ୍ଗୀ-ସୁଖମେଳେ ।

କେତେ ସ୍ୱପ୍ନ ଗଲା ତୋର ଧୂଳି ତଳ୍ପେ ଶୋଇ,

ତୁଟିଗଲା ମଳିନତା ତୋ ଆଶ୍ରମେ ଥାଇ ।

ମନେ ପଡ଼େ, କେବେ ବସି ତୋର ରମ୍ୟ ପଥେ

ଭ୍ରମିଛି ବା କଳ୍ପଲୋକ ଅମର ପ୍ରଭାତେ,

ଗୋପନ ଯୁଗର କେଉଁ ହିମାଚଳତଳେ,

ଝରେ ଯହିଁ ନୀହାରାଶ୍ରୁ ଦିବା ଦ୍ୱିପ୍ରହରେ ।

ବୁଲିଛି ସ୍ୱପନେ କେତେ କାହିଁ ମରୁଦେଶେ,

ବେଦୁଇନି ସୀମନ୍ତିନୀ ଚରଣ ପରଶେ

ପୁଣ୍ୟ ଯେ ସିକତା ତନୁ, ପାଦେ ପାଦେ ଦଳି

ସ୍ୱପ୍ନ ଦେଖିଛି ଗୋ ପଲ୍ଲି, ତୋ’ କୋଳେ ବିହରି ।

କାହିଁ କେଉଁ ଶ୍ୟାମ ଲତାକୁଞ୍ଜେ ଭୋଳେ ବସି,

ଯାଇଛି ଜୀବନ-ତରୀ ସ୍ୱପ୍ନଲୋକେ ଭାସି

ମରତ-ମାନବ ବୁଦ୍ଧି ଅଗୋଚର ପଥେ,

ଭେଟିବାକୁ ଜୀବନର ଲକ୍ଷ୍ୟ ଅବିରତେ ।

ଛୁଇଁଛି ଅଧର କା’ର ବଢ଼ାଇ ଅଧର,

ଦରମୁକୁଳିତ ନେତ୍ରେ ଚାହିଁ ବାରବାର ।

ରଣରଙ୍ଗେ ଯାଇଛି ଗୋ କେବେ ସ୍ୱପ୍ନ ଦେଖି ।

କେବେ ବା ଯାଇଛି ତୁଙ୍ଗ ଗିରିଶିଖେ ଲାଖି,

ଗ୍ରୀଷମ ବିହାରେ ଫୁଲ ତୋଳିବାର ବେଳେ ।

ଭାସି ବା ଚାଲିଛି କେବେ ଶ୍ରାବଣ ଆଶାରେ

କେଉଁ କଳ୍ପଲୋକପାରେ । ପ୍ରଳୟ-ପୟୋଧି

ପାରିନାହିଁ ଏ ମାନବଶିଶୁ ପଥ ରୋଧି ।

କେଉଁ ମଧୁମାସ ହସି ଫୁଟାଇଛି ଫୁଲ

ଏ ମାନବଶିଶୁ ଆଗେ ଆଗେ ହୋଇ ଗେଲ ।

ଢାଳିଛି କୋକିଳ କେତେ ତା’ ରାଗିଣୀ-ସୁଧା,

କେତେ ମୁଁ ଗଢ଼ିଛି ନିଜେ ମୋ ନିଜ-ବସୁଧା !

କେତେ ଚନ୍ଦ୍ରାତପ ତଳେ କରେ ବୀଣା ଧରି,

ବ୍ରଜ ବୃନ୍ଦାବନେ ହୋଇଛି ମୁଁ ବଂଶୀଧାରୀ ।

ବ୍ରଜାଙ୍ଗନା ମେଳେ କୃଷ୍ଣ ହୋଇଛି ମୁଁ କେତେ,

ଭସାଇଛି ଆଶାତରୀ ସେ ଯମୁନା ସ୍ରୋତେ ।

କୁଳ ମାନ ଛାଡ଼ି ପର ପଦେ ବିକି ପ୍ରାଣ,

କେତେ ଯେ ଗାଇଛି ମୋର ବିରହର ଗାନ ।

କେତେ ରଣକ୍ଷେତ୍ରେ କରେ ଧରି ତରବାରି,

ଗୋଡ଼ାଇ ହାଣିଛି ଅସି କପାଳେ ହୁଙ୍କାରି ।

କେତେ ହୋମ ବେଦୀପାଶେ ଶୁଦ୍ଧପୂତ ମନେ,

ଉଚ୍ଚାରିଛି ଶାନ୍ତିମନ୍ତ୍ର ବୈଦିକ ବିଧାନେ ।

ଶୈଶବୁଁ ଯୌବନ ପଥ ପରଶିବାଯାଏଁ

କେତେ ସ୍ୱପ୍ନେ, ଜାଗରଣେ, ମାନବ ହୃଦୟେ,

ତୋ’ କୋଳେ ଗୋ ପଲ୍ଲିରାଣି, କଲି ଉପଭୋଗ;

ରଖିଥିବୁ ଏ ସନ୍ତାନେ ସ୍ନେହ ଅନୁରାଗ ।

ଗଲାବେଳେ ଛାଡ଼ି ତୋର ସ୍ମୃତିମୟ କୋଳ

ଖସିପଡ଼େ ହୃଦୟୁ ମୋ ଅଧେ ଧୈର୍ଯ୍ୟବଳ ।

ଆନ କ୍ଷଣେ ପ୍ରାଣେ ପୁଣି ବାଢ଼େ ଆଶ୍ୱାସନା

ହେବ ତୋର ପାଶେ ମୋର ଏ ମାଗୁଣି ଘେନା–

ଯାଏ ଯହିଁ ତୋ ଆଶିଷ ଲଭୁଥିବି ନିତି,

ସ୍ମରି ତୋର ଶ୍ୟାମ କୋଳ ଯିବ ଦିନ ବିତି ।

•••

 

କହିବୁ କଥା ?

 

ହେ ମୋର ଧରଣି, ଚିର ରସମୟି, କହିବୁ କଥା

ତୋର ବୁକେ ପୁଣି ମାନବଜାତିର ଏ କି ଗୋ ବ୍ୟଥା ?

ଯେତେ ଏ ଅଶ୍ରୁ ଝରେ ଅବିରତ ଦିବସ-ରାତି

ସହି କି ପାରିବ ଆଷାଢ଼ ଗଭୀର-ରଜନୀ ଛାତି !

ଯେତେ ହାହାକାର ଗଗନ ପବନ ମୁଖରି ଉଠେ

ଅଧେ ଉଠି ପୁଣି ଅଧର ଅଧାରୁ ଯେ ବାଣୀ ତୁଟେ;

କହିବୁ କି ମୋର ଶ୍ୟାମଳା ଧରଣି । କିଏ ୟା’ କଲା-

ଦେବତାର ବର, ଅବା କେଉଁ ଅପ-ଦେବତା ପାଲା ?

ବକୁଳ ମୁକୁଳ, ଅଧେ ଫୁଟି ଅଧେ କହ ଗୋ କଥା

ସହିପାରେ ନାଇଁ ବୁକୁ ମୋର ତୋର ଏ ନୀରବତା ।

ତୋର ବୁକୁ ତଳେ ଏଭଳି ବେଦନା ଉଠେ କି ସତେ ?

ଲୋତକ ଯା ବୋଲୁ, ଦେଖିଛି ମୁଁ, ମଧୁ ନିତି ପ୍ରଭାତେ ।

ଶ୍ୱାସ ବୋଲି ସତେ କହିବ ଯାହାରେ ଏଡ଼େ ମଧୁର

ସତେ ବା ତା’ କାହିଁ ଥିବ କଳପନା ସୁରବଧୂର ।

କୋମଳ ଏ ତୋର ପଲକେ କି କେବେ ନ ଆସେ ଲୁହ ?

ପତର ଉଢ଼ାଳେ ଲୁଚାଇ ବଦନ କୁହ ଗୋ କୁହ ।

ଦିନେ ଶୁଣି ନାଇଁ, କିଶଳୟ, କେବେ କହିଚୁ କଥା,

ନାଇଁ କି ଏ ବୁକେ ନର-ବୁହା ଏତେ ନିବିଡ଼ ବ୍ୟଥା ?

ଦିନେ ଶୁଣି ନାହିଁ, ଲତା, ତୋର କୋଳେ ବିରହ ବାଣୀ,

ନୋହୁ କି ଗୋ ତିଳେ କାହା ଜୀବନର ପରଶମଣି ?

ଅଧରେ ଏ ତୋର ସେ କାହା ଅଧର ନାହିଁ କି ବାଜି !

ବୁଝି ଫେରିଯିବି ସେହି କଥା ସିନା, ବସିଛି ଆଜି !

ଦୂର ନଭଚାରୀ ବିହଗ ରେ, ବେଗେ ଯାଆ ତୁ ଉଡ଼ି

ଦୂରୁ ଦୂରେ ପୁଣି–ବହୁଦୂରେ ଗ୍ରହ ଧରଣୀ ବୁଲି ।

ଦେଖ ସେ ଦେଶରେ ଅଶ୍ରୁଅସରା ଚାଲିଛି କିଏ,

ସେହି ଧାରା କି ରେ ମର-ଜୀବନେ ବେଦନା ଦିଏ ?

ନାଇଁ, ନାଇଁ, ବୁଝିପାରେ ନାଇଁ, ନାଇଁ, ଏ ମୋର ପ୍ରାଣ–

ଆସିଚି କି ଲାଗି ଧରଣୀ ଦୁଆରେ ମର-ଜୀବନ !

ଦୂରେ ଯେ ସରଗ– ବହୁ ଦୂରେ, ତାକୁ ଦେଖିଛି କିଏ ?

ତା’ ଲାଗି କି ଲାଗି ମରତ-ମାନବ ଆକୁଳେ ଧାଏଁ ?

ସେ ଦେବତା କିଆଁ ଧରଣୀ ଦୁଆରେ ନ ହୁଏ ଉଭା ?

ତୁଚ୍ଛାରେ ମନ୍ଦିର ଗଢ଼ିଛି ଖାଲି ଏ ମାନବ ଅବା !

ଖାଲି ପୂଜା ସେବା ! ଖାଲି ଉପାସନା !! କହ କେ ଦେଖି

ସରଗ ଦେଶର ଦୁଆରେ ଯାଇଚି ମୁକତିଭୋକୀ ?

ଦେବତା ସେ ଯେବେ ଥିବ, ଥିବ ସିନା ସରଗେ ଖାଲି

ସେଥିଲାଗି କିଆଁ ମରିବ ମାନବ ଜଣାଣ ବୋଲି ?

ଏତେ କଥା ଯେବେ ଦେବତା କାମନା, କି ଲାଗି ନର

ସରଗେ ନ ରହି ପୂଜା ବା ନ କଲା ସରଗପୁର ?

ଏ ଦେଶେ ଆସି ମୁଁ ଭାବେ କିଆଁ ଆନ ଧରଣୀ କଥା ?

ହେ ଧରଣି ମୋର, ସନ୍ଦେହଟି ଖୋଲି କହିବୁ କଥା ?

•••

 

ଦିବସ-ଯାମିନୀ ବସିଥିବି ଏହିମତେ *

 

ଶରତ୍‌ ତମାଳ ତଳେ ଅଶାନ୍ତ ସମୀର

ବହୁଥିଲା ଥରି ଥରି ଦିନେ ଅବିରଳ ।

ପିକ ବସି ଧୀରେ ଧୀରେ ଗାଉଥିଲା ବ୍ୟଥା

ସେ ଜାଣଇ ଏକା ତାହା ଶୁଣାଇ ସର୍ବଥା ।

ସେ ବିଜନ ବାସେ ଆମ ଯୁଗଳ ଜୀବନ–

ଗାଉଥିଲା ଗାନ ସେ ତ, ଥିଲି ମୁଁ ମଉନ !

ଫେଉଥିଲା ବେଦନାଟି, ବହୁଥିଲି ବୁକେ,

ଚାହିଁ ଚାହିଁ ଅବନତ ଅରୁଣ ଆଲୋକେ ।

ଆଉ ଦିନେ ଏହିଭଳି ବସିଥିଲି ମୋର

ଆଦରି ଅଜଣା ଆଶେ କୁଟୀର ଦୁଆର ।

ବିଶାଳ ସେ ନଭ-ଶିରୀ ପଡୁଥିଲା ଝରି

ରକ୍ତ-କାଦମ୍ବିନୀ କୋଳେ ପ୍ରାବୃଟେ ବିହରି ।

ଥରିଉଠୁଥିଲା ଥରେ ଥରେ ଶୂନ୍ୟ ପ୍ରାଣ

ଭୁଲି ଲୋଡ଼ୁଥିଲା କାହିଁ ଅତର୍କିତ ଗାନ

ବେଳେବେଳେ କ୍ଷୀଣ ବିଭା, ବେଳେ ଅନ୍ଧକାର,

ଆଶା ଯଥା ଆଶାଦୃପ୍ତ ମୂଢ଼ ମାନବର ।

ସେ ସଙ୍ଗୀତେ ଯାଇଚି ତ ମୋ ସଙ୍ଗୀତ ମିଶି

କି ଘେନି ବିଦାୟ ନିଏ କି ସମ୍ପଦେ ରସି ?

ବସିବାର ଗୁରୁ ଶ୍ରୀଚରଣତଳେ ଧୀରେ

ସେ ଦିନ ସେ ଅନୁତାପେ ଆକୁଳ ଅନ୍ତରେ–

‘‘ଜୀବନର ଆଶା ଭାଷା ପ୍ରାଣର ଧିଆନ

ତୁମେ ମୋର ଧରଣୀର ପ୍ରାଣପ୍ରିୟ ଧନ’’

ଗୁରୁ ମୋର ହୃଦୟର ଗୁରୁଶ୍ୱାସ ଢାଳି

କହିଥିଲେ, ଆହା, ମନେ ଅଛି ସେହିଭଳି ।

ଆଉ ଦିନକର କଥା ନ ପାରଇ ରଖି–

ପଡ଼ୁଥିଲା ତରୁତଳେ ଅରୁଣ ଝଲକି ।

ଚୁମ୍ବୁଥିଲା ସମୀରଣେ, ମୁକୁଳେ ଭ୍ରମର,

ପ୍ରଭାତ-ସଙ୍ଗୀତେ ବୁଲୁଥିଲା ପିକବର ।

ଯୁଗ ସମ୍ବତ୍ସର ବିତିଯାଇଚି ସେ ହେଳେ

ବସିଥିଲେ ଗୁରୁ ମୋର ପଲ୍ଲବଗହଳେ ।

ଝରୁଥିଲା ନେତ୍ରୁଁ ଲୁହ, ଅଧରୁ ବଚନ–

ଦୀନ ଦୁଃଖୀ ହୃଦୟର ଶୀତଳ ଚନ୍ଦନ !

ଦୂରର ଅତିଥି ଫେରିଯାଉଥିଲେ ଦୂରେ

ହୃଦଟିକ ଥୋଇଦେଇ ‘ଡଭାର’ ପ୍ରାନ୍ତରେ

ଦୁଃଖୀ ପ୍ରାଣ ଅଶ୍ରୁଶ୍ୱାସ ନେତ୍ରେ ବୁକେ ବହି

ଫେରି ଚାହୁଁଥିଲେ ନୀଳାଚଳେ ରହି ରହି ।

ଶ୍ରୀପଞ୍ଚମୀ ମଧୁଲୀଳା, ଶାରଦ ରଜତ,

ହେମନ୍ତ, ଶିଶିର ଶିରୀ, ଗୀଷ୍ମ ସଇକତ,

ଶୟନ, ସପନ, ଖେଳ, ଭୋଜନ, ବିହାର,

କୁଳଗୃହ ସମ୍ମିଳନ, କୁଞ୍ଜ ପରିସର,

ସବୁ ମୋର ହୃଦୟର ତ୍ରିଦିବର ଧନ

ଆଦ୍ୟ ଯଉବନ ବୁକେ ଦେଖଇ ସପନ ।

ନିକଟୁ ନିକଟତର ହେଉ ପଛେ ଆସି,

ସେ ମଧୁ ଦିବସ ଯାଉ କାଳସ୍ରୋତେ ଭାସି,

ଲୁଚିଯାନ୍ତୁ ଶଶୀ ତାରା, ନ ହସୁ ତପନ,

ନ ଫୁଟୁ ଗୋଟିଏ ଫୁଲ ଶୋହି କୁଞ୍ଜବନ ।

ପିକ ବସୁ ତାର ଚିର ନୀରବତା ଘେନି

ପାଲଟୁ ଏ ତରୁଲତା ସାହାରା ଅବନୀ ।

କିନ୍ତୁ ଏ ଯେ ସ୍ମୃତି ମୋର ନନ୍ଦନର ବନ;

ଏଠି ଯେ ଗାଉୁଚି ପିକ ବସି ଅନୁଦିନ !

ଫୁଟୁଛି ଯେ ଫୁଲ, ହସୁଛନ୍ତି ରବି ଶଶୀ

ପିଣ୍ତୁ ପ୍ରାଣ ଯିବାଯାଏ ଦେଖୁଥିବି ବସି ।

ଆନ ବୃନ୍ଦାବନ ରଚି ହୃଦୟ-ଜଗତେ,

ଦୀବସଯାମିନୀ ବସିଥିବି ଏହିମତେ ।

 

 

*

ଦିବସ ଯାମିନୀ ବସିଥିବି ଏହିମତେ ସତ୍ୟବାଦୀରେ ଲେଖା ସତ୍ୟବାଦୀ ଛାଡ଼ିଲାବେଳେ । ଗତ ଛବିଶି ସାଲର ଦୁର୍ଭିକ୍ଷ ପୁରୀ ଜିଲା ଗୋପର ଡଭାର ଅଞ୍ଚଳକୁ ବଡ଼ ବାଧିଥିଲା । ଶ୍ରୀଯୁକ୍ତ ଠକର ସାହେବ ଦୁର୍ଭିକ୍ଷ ଅଞ୍ଚଳରୁ କାମ-ସାରି ଫେରିଲାବେଳେ ସତ୍ୟବାଦୀ ସ୍କୁଲରେ ଏକ ସଭା ହୋଇଥିଲା । ଲୋକଙ୍କ ଦୁଃଖ କହି ‘ଉତ୍କଳମଣି’ କାନ୍ଦିଥିଲେ ।

•••

 

ସ୍ମୃତି-ଭିକ୍ଷା

ପରଶ ପରଶ ବାରେ ପରଶ ପରଶ

ଏ କାନ୍ତ-କୋମଳ ସ୍ପର୍ଶେ ହରିନିଅ ବିଷ ।

ଜୀବନର ବ୍ୟଥାତୁର ଗୋପନ କାହାଣୀ

ତୁଟିଯିବ ଏ ପରଶେ ପାରୁଛି ମୁଁ ଜାଣି ।

ପାରୁଛି ମୁଁ ଜାଣି ସିନା, କି କହିବି କଥା ।

ଏ କ୍ଷୁଦ୍ର ପରାଣେ ଅଛି କୋଟିଯୁଗ ବ୍ୟଥା ।

କୋଟିମୁଖେ ପାରିବି କି ବର୍ଣ୍ଣି ସେ ବିଭବ

ସ୍ମୃତିମୟ ଜୀବନ ମୋ ଚିର ଅଭିନବ ।

ପରଶିଲା ଏହି ପ୍ରାଣେ ଦିନେ ଅଛି ମନେ

କେବଳ ରାଇଜ ଦୂତ, ବଡ଼ ସଂଗୋପନେ ।

କହିଲା ଏ କାନେ କାନେ କେତେ ମଧୁକଥା,

ଗଲାବେଳେ ଜାଳିଦେଲା ଚିରସ୍ମୃତି ଚିତା ।

ଆନ କେ ଆସିଲା ଦୂର କୁଞ୍ଜବନବାସୀ,

ଶ୍ୟାମ ଛୁରିତକ ଚୂତ ବକୁଳେ ବିଳସି ।

ହସି ହସାଇଲା କେତେ ବସନ୍ତ ଆଗମେ,

ଗଲା ଲେଖି ସ୍ତରେ ସ୍ତରେ କୁସୁମ ସମ୍ଭ୍ରମେ ।

ପଡ଼ିଛି ସେ ଲେଖା ଆଜି; ପଢ଼ୁଛି ତା’ ବସି,

ସେ ସ୍ମୃତ ବକୁଳମାଳା ହେଲାଣି ତ ବାସି ।

ସେ ବାସ ଗଲାଣି ଉଡ଼ି; ନାହିଁ ଗଉରବ;

ସେ ଚରଣ-ଚିହ୍ନ ପ୍ରାଣୁ ଲିଭି ନାହିଁ ଲବ ।

ଆସିଲା କେ ତରଙ୍ଗିଣୀ କୂଳେ କୂଳେ ଖେଳି,

ଚାଲିଥିଲେ ପଛେ ତାର ବୀଚି ଢଳିଢଳି ।

କପୋଳେ କୁଙ୍କୁମ ଲେଖା, କରେ କିଶଳୟ,

ଚରଣେ କମଳ ଫୁଟେ, ମୁଖେ ଜୟ ଜୟ ।

ସେ ଚରଣ-ଚିହ୍ନ ଏବେ ବୁକେ ଫୁଟେ ନିତି,

ନିହିଛି ଆଦରେ ତା’ରେ ଗାଇ ତାର ଗୀତି ।

କମ୍ର କିଶଳୟ ତା’ର ପଡ଼େ ଶିରେ ଢଳି,

ଅଧା ପଥେ ଭାଜି କିପାଁ ପଡ଼ଇ ଝାଉଁଳି ?

ପରଶ ପରଶ ଆଜି ଏ ପ୍ରାଣ-ଦୋସରେ,

ଜୀବନର ସାଥୀ ତୁମେ । ଅମୃତ-ବିଷରେ ।

ଏ ପରଶ ଲାଗେ ଭଲ, ଯିବି ସବୁ ଭୁଲି,

ରହିବ ଏ ବୁକେ ଖାଲି ପଦଚିହ୍ନ ଧୂଳି ।

ଫୁଟି ଫୁଲ ପଡ଼େ ଝଡ଼ି, ତାରା ଲୁଚେ ଆସି,

ତୁହାଇ ତୁହାଇ ଆସେ କମଳ ରୂପସୀ–

ବାରେ ବାରେ ଜୀବନରେ ଖାଲି ସ୍ମୃତି ଜାଗେ,

ପରଶ ପରଶ ଖାଲି ସ୍ମୃତି ଭିକ୍ଷା ମାଗେ ।

•••

 

ବହି ତୁମ ରୁପ *

 

କହ ଗୋ ବକୁଳ, ମୋର, କହ ଛୁରିଅନା,

ମୋ ମାଗୁଣି ତୁମ ପାଶେ ହେବ କି ନା ଘେନା ?

ତୁମ କିଶଳୟ, ତୁମ ସୁକୋମଳ କଳି

ଏ ମୋର କିଶୋର ନେତ୍ରେ ଦିଶେ ଭଳି ଭଳି ।

ଏ ମୋର ବୁକୁରେ ତବ ଲଗିଲେ ପରଶ,

ମଣେ ମୁହିଁ ସାଙ୍ଗ ସାଥୀ ସହସ୍ର ବରଷ–

ସ୍ମୃତିରେ ଜଡ଼ାଇ ତନୁ, ବିହରି ଅମୃତେ

ସଜାଡ଼ି ବା ଦେଇଗଲେ ଜଡ଼, ରୁକ୍ଷ, ମୃତେ ।

ଜୀବନପ୍ରୟାସୀ ନର ବୁକୁ ତଳେ ତଳେ

ତୁମେ ଯେବେ ନ ଥା’ନ୍ତ ଗୋ ଏ ମହୀମଣ୍ତଳେ,

ତୁମ ଭଳି ଜୀବନର କଳି ଯେବେ କେବେ

ପରଶୁ ନ ଥାନ୍ତା ନର ଯଉବନେ ଲବେ,

ତୁମ ଭଳି ସୁମଧୁର କୋମଳ ଅଧରେ

କିଏ ଯେବେ ଏ ଜୀବନେ ନ ଛୁଅନ୍ତା ଥରେ,

କହ କହ ବକୁଳ ଗୋ, କହ ଛୁରିଅନା,

ଆନ ଭଳି ଏ ଜୀବନ ହୋଇଥାନ୍ତା ସିନା ।

ମୋ ବକୁଳ, ଛୁରିଅନା, ମୋ କୁସୁମ କଳି,

ଧରଣୀର ପରବାସେ ମୁହିଁ ଗୋ ତୁମରି–

ମୁହିଁ ଗୋ ମାନବ କଳି ଆସେ ଫୁଟିଉଠି

ମୋ ବୁକୁରେ ତୁମ ଭଳି ଶ୍ୱାସ ଉଠେ ଫୁଟି ।

ତୁମେ ଯେ ମୋହୁଛ ହସି ଶ୍ୟାମପତ୍ର କୋଳେ

ଏ ଭୁବନ ଜୀବନେ ଗୋ ପ୍ରୀତି ଢଳଢ଼ଳେ,

ମୁଁ କି ନାହିଁ ପାରିବି ଗୋ ? ମୋର ସଉରଭ

ସୃଜି ନ ପାରେ କି ସ୍ୱର୍ଗ ନିତ୍ୟ ଅଭିନବ ?

ଅଯାଚିତେ ତମେ ଏଥି ରଚ କେତେ ଲୀଳା

ଜୀବନ ବା ପାଇଛନ୍ତି ଏ ନିର୍ଜୀବ ଶିଳା

ମନ୍ଦିର ରୂପରେ । ପୁଣି ଦେବ ନାମ ଧରି

ଜୁହାରୁଛି ନର ଏଥି ଦିବସ-ଶର୍ବରୀ ।

ତୁମରି ପରଶେ ସିନା, କହ ଗୋ ବକୁଳ,

କହ ମୋର ଛୁରିଅନା, ହୋଇ କି ଆକୁଳ

ଶତ ଶତ ନରଶିଶୁ କଳି ସମ ହସି

ତୁମରି ସମାଜେ ଅବା ଯାଉଛନ୍ତି ମିଶି–

ଗଗନେ ସମୀର ଭଳି । ତୁମ ରୂପପାଶେ

ଏ ନର କଳିକା ରୂପ ଦି’ଗୁଣେ ବିଭାସେ ।

ମୁହିଁ ଗୋ ଏ କଳି ମେଳେ ଏକଇ କଳିକା,

ଜୀବନ ମୋ ଲୋଡ଼େ ଆଜି ଆଲୋକ ଅଳକା ।

ପରଶ ସମୀରେ ମୋତେ, ପରଶ ଆଲୋକେ,

ପରଶ ଗୋ ସଉରଭେ ଏ ନିଖିଳ ଲୋକେ ।

ଘେନି ଶ୍ୟାମ ପତ୍ରଶିରୀ, ବହି ତୁମ ରୂପ

ଦେଖିବି ଗୋ ଜୀବନର ଶିରୀ ଅପରୂପ ।

 

*

ବହି ତୁମ ରୂପ–ସେହି ସତ୍ୟବାଦୀରେ ।

Image